fbpx

ଅର୍ପିତାଙ୍କ ଘରୁ ପୁଣି ମିଳିଲା ଟଙ୍କାର ‘ପାହାଡ’: ୨୦ କୋଟି ନଗଦ ସହ ୩ କିଲୋ ସୁନା ଜବତ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲାରେ ଅର୍ପିତା ମୁଖାର୍ଜୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ବୁଧବାର ଦ୍ୱିପହରରୁ ଇଡିର ଏକ ଟିମ୍ ତାଙ୍କର ଅନ୍ୟ ଏକ ଚଢ଼ାଉ ଜାରି ରଖିଛନ୍ତି । ଖବର ମିଳିଛି କି, ପୁଣିଥରେ ତାଙ୍କ ଘରୁ ବିପୁଳ ଟଙ୍କା ଓ ସୁନା ଜବତ କରାଯାଇଛି । ନୋଟ ଏତେ ପରିମାଣରେ ଥିଲା ଯେ, ଇଡିକୁ ନୋଟ ଗଣିବା ମେସିନ୍ ଡାକିବାକୁ ପଡ଼ିଛି । ବର୍ତ୍ତମାନ ସୁଦ୍ଧ ୨୦ କୋଟିର ନଗଦ ଟଙ୍କା ଓ ୩ କିଲୋ ସୁନା ଜବତ ହୋଇଛି । ଏତେ ଟଙ୍କା ନେଇ ଯିବାକୁ ଇଡି ଦ୍ୱାରା ୨୦ ଟ୍ରଙ୍କ ମଗାଯାଇଛି ।

ତେବେ ରାତି ପ୍ରାୟ ୯.୩୦ ସମୟରେ ଅର୍ପିତାଙ୍କ ଘରୁ ୨୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଛି । ଏହି ଚଢ଼ାଉରେ ତିନି କିଲୋଗ୍ରାମ ସୁନା, ରୂପା ମୁଦ୍ରା ଓ ସମ୍ପତ୍ତି ଦଲିଲ ମଧ୍ୟ ଜବତ କରାଯାଇଛି ବୋଲି ପ୍ରକାଶ । ଅର୍ପିତା ମୁଖାର୍ଜୀ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି । ଦୀର୍ଘ ଦିନ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ଜୁଲାଇ ୨୨ ରେ ଇଡି ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଜବତ କରିଥିଲା । ପରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ପାର୍ଥ ଚାଟାର୍ଜୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଏହାପୂର୍ବରୁ ଅର୍ପିତା ମୁଖାର୍ଜୀଙ୍କଠାରୁ ଦୁଇଟି ଡାଏରୀ ଜବତ କରାଯାଇଥିଲା । ସୂଚନାନୁସାରେ, ଏହି ଡାଏରୀଗୁଡ଼ିକ ମଧ୍ୟରୁ ଗୋଟିଏରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ବ୍ୟବହୃତ ନଗଦ ଟଙ୍କା ବିଷୟରେ ସୂଚନା ରହିଛି । ଇଡି ଜାଣିବାକୁ ଚାହୁଁଛି ଯେ ଏହି ଟଙ୍କା ଅର୍ପିତା ମୁଖାର୍ଜୀଙ୍କ ପାଖକୁ କେଉଁଠୁ ଆସିଲା? ଏହି ଡାଏରୀରେ ବିଭିନ୍ନ ବ୍ୟାଙ୍କରେ ନଗଦ ଟଙ୍କା ଜମା କରିବାର ବିବରଣୀ ରହିଛି ।

Get real time updates directly on you device, subscribe now.