fbpx

ରାଜ୍ୟରେ ବର୍ଷା ଆଣିଲା ବନ୍ୟା, ଫୁଲୁଛି ମହାନଦୀ: ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବାରେ ଲାଗିଛି । ସେହିପରି ବୈତରଣୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତେବେ ମୁଣ୍ଡଳୀ ଠାରେ ମହାନଦୀର ଉପର ମୁଣ୍ଡରେ ୮୫.୨୦ ମିଟର ଓ ତଳମୁଣ୍ଡରେ ୮୩.୦୦ ମିଟର ରହିଥିବାବେଳେ ମୁଣ୍ଡଳୀ ବ୍ୟାରେଜ ଦେଇ ୩ ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ।

ସେହିପରି ନରାଜ ବ୍ୟାରେଜ୍‌ର ଉପର ମୁଣ୍ଡରେ ୨୪.୯୦ ମିଟର ଓ ତଳମୁଣ୍ଡରେ ୨୧.୫୦ ମିଟର ଜଳ ପ୍ରବାହିତ ହେଉଛି । ତେବେ ନରାଜ ବ୍ୟାରେଜ୍‌ ଦେଇ ବର୍ତ୍ତମାନ ୧ ଲକ୍ଷ ୪୮ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ହୀରାକୁଦର ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଲଗାଣ ବର୍ଷା ଫଳରେ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇଛି । ଫଳରେ ତଳି ଅଞ୍ଚଳର ଲୋକଙ୍କୁ ନଦୀ ଭିତରକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ବି ଦ ସଙ୍କେତ ୫.୫ ମିଟର ରହିଥିବାବେଳେ ସେଠାରେ ୬.୨୮ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି । ଫଳରେ ବାହାର୍ଦା, ବୁଦ୍ଧହଂସା, ସଦାନନ୍ଦପୁର, ବରୁଣ ଗଡ଼ିଆ, ଚକୁରାଇ, ଗରିଡ଼ା ସମେତ ସଦର ବ୍ଲକ୍‌ର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ଶନିବାର ଠାରୁ ଆଉ ଏକ ଲଘୁଚାପର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିନା ।ଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୩ ଓ ୧୪ ତାରିଖରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା ଓ ତଳି ଅଞ୍ଚଳରେ ପାଣି ଜମିବା ଭଳି ସ୍ଥିତି ଉପୁଜିାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ସମୟରେ ୪୫ରୁ ୬୫ କି.ମି. ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ହେବାର ଥିବାରୁ ୧୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ର ଟେନ୍‌ସାରେ ସର୍ବାଧିକ ୧୧୩.୪ ମି.ମି. ବର୍ଷା ରେକର୍ଡ କରାଯାଇଥିବାବେଳେ ଦେବଗଡ଼ରେ ୧୧୨.୫ ମି.ମି., ବରଗଡ଼ରେ ୧୦୭ ମି.ମି. ବର୍ଷା ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଇଂଜିନିୟର ଇନ୍‌ ଚିଫ୍‌ ବିଜୟ ମିଶ୍ର କହିଛନ୍ତି ଯେ, ବର୍ଷା ଲାଗି ରହିଥିବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ତେବେ ବନ୍ୟା ଆଶଙ୍କା ବିଶେଷ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି ।

Get real time updates directly on you device, subscribe now.