fbpx

ବିଚାରପତିଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ୍: ସାଙ୍ଘାତିକ ଅଭିଯୋଗ କଲେ ପରିବାର ଲୋକ

କଟକ (ଓଡ଼ିଶା ଭାସ୍କର): କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀ ମୃତ୍ୟୁ ମାମଲାରେ ଆସିଛି ବଡ଼ ଟ୍ୱିଷ୍ଟ୍ । ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୁବାସଙ୍କ ମା, ଭିଣୋଇ ଏବଂ ସମ୍ପର୍କୀୟମାନେ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି । ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏନେଇ ଆଜି ସେମାନେ ମର୍କତନଗର ଥାନାରେ ଏତଲା କରିବେ ବୋଲି କହିଛନ୍ତି ।

ମୋ ପୁଅକୁ ମାରିଦେଇଛନ୍ତି ବୋଲି ସୁବାସଙ୍କ ମା’ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ‘ପୁଅକୁ ଘରକୁ ଛାଡୁନଥିଲେ । ମୋ ସହ କଥା କରାଇ ଦେଉନଥିଲେ ।’ ବୋହୂ ଏବଂ ତାଙ୍କ ଭାଇ ମାରିଦେଇଛନ୍ତି ବୋଲି ମା’ କହିଛନ୍ତି । ଏହା ସହ ସୁବାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପିଉସୀ ପୁଅ ଭାଇ । ସେ କହିଛନ୍ତି ଯେ, ‘ସ୍ତ୍ରୀ ଓ ଶଳା ମିଶି ମାରିଛନ୍ତି, ସିବିଆଇ ତଦନ୍ତ ହେଉ । ମୃତଦେହରେ ଆଘାତ ଚିହ୍ନ ଥିଲା । ମୃତଦେହ ଆମକୁ ଦେଲେନି କି ଭିଣୋଇ ଦେଲେନି ।’ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସୁବାସଙ୍କ ଭିଣୋଇ କହିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବିଚାରପତି ଗତ ଦୁଇ ଦିନ ଧରି ଛୁଟିରେ ଥିଲେ ଏବଂ ଆଜି କାର୍ଯ୍ୟରେ ଯୋଗଦେବାର ଥିଲା କିନ୍ତୁ ସେ ଆଜି ପୁଣି ଛୁଟିନେଇଥିଲେ । ଆଉ ମଧ୍ୟାହ୍ନରେ ତାଙ୍କର ଆତ୍ମହତ୍ୟା ନେଇ ଖବର ଆସିଥିଲା ।

Get real time updates directly on you device, subscribe now.