fbpx

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ରୈନା, ଆଇପିଏଲରେ ଆଉ ଦେଖିବାକୁ ମିଳିବ ନାହିଁ

ନୂଆଦିଲ୍ଲୀ: ଭାରତୀୟ ଦଳର ବାମହାତୀ ବ୍ୟାଟସମ୍ୟାନ ସୁରେଶ ରୈନା ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଲିଗ୍ କ୍ରିକେଟ୍ ଖେଳିବା ପାଇଁ ରୈନାଙ୍କୁ କ୍ରିକେଟରୁ ଅବସର ଘୋଷଣା କରିବାକୁ ପଡିଛି। ଅର୍ଥାତ ରୈନା ଏବେ ବିସିସିଆଇ ସମ୍ଵନ୍ଧିତ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ।

ବାମହାତୀ ବ୍ୟାଟସମ୍ୟାନ ରୈନା ଟୁଇଟ୍ କରି ଲେଖିଛନ୍ତି, ନିଜ ଦେଶ ଏବଂ ଉତ୍ତର ପ୍ରଦେଶ ରାଜ୍ୟରୁ ପ୍ରତିନିଧିତ୍ଵ କରିବା ଏକ ପରମ ସମ୍ମାନର କଥା। ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରୁଛି। ମୁଁ ବିସିସିଆଇ, ୟୁପିସିଏ, ଚେନ୍ନାଇ ସୁପର କିଙ୍ଗ୍ସ, ରାଜୀବ ଶୁକ୍ଳା ସାର ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ମୋର କ୍ଷମତା ଉପରେ ଅତୁଟ ବିଶ୍ଵାସ ରଖିଥିବାରୁ ଧନ୍ୟବାଦ।

ଉଲ୍ଲେଖନୀୟ ସୁରେଶ ରୈନା ଅଲଗା ଅଲଗା ଲିଗ୍ ଖେଳିବାକୁ ଚାହାନ୍ତି। ସେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଥିବା ରୋଡ୍ ସେଫଟୀ ଓ୍ଵାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିବେ। ବିସିସିଆଇର ନିୟମ ଅନୁଯାୟୀ, ଯେଉଁ ଖେଳାଳି ବିସିସିଆଇ ସହ କୌଣସି ପ୍ରକାରେ ଜଡିତ ଅଛି ସେ କୌଣସି ବିଦେଶୀ ଲିଗ୍ କିମ୍ବା ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟ ଖେଳି ପାରିବେ ନାହିଁ। ବିସିସିଆଇ କୌଣସି କ୍ରିକେଟରଙ୍କିୁ ଅନ୍ୟ ଟୁର୍ଣ୍ଣାମେଣ୍ଟ ବା ଲିଗ୍ ଖେଳିବାକୁ ଅନୁମତି ଦିଏ ନାହିଁ।

ଫଳରେ ରୈନାଙ୍କୁ ଅନ୍ୟ ଲିଗ୍ ଖେଳିବା ପାଇଁ କ୍ରିକେଟରୁ ଅବସର ଘୋଷଣା କରିବାକୁ ପଡିଛି। ରୈନା ଏବେ ଦୁନିଆର କୌଣସି ବି ଟି-୨୦ କିମ୍ବା ଟି-୧୦ ଲିଗ୍ ଖେଳି ପାରିବେ। ସେ କୌଣସି ପ୍ରକାରର ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ଵ କରି ପାରିବେ। ଫଳରେ ଆସନ୍ତା ସଂସ୍କରଣରୁ ରୈନାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ୨୦୨୦ ଅଗଷ୍ଟ ୧୫ରେ ରୈନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେହି ଦିନ ହିଁ ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

Get real time updates directly on you device, subscribe now.