ଗଞ୍ଜାମ: ଆଜିବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ୱାସ ଭଳି କୁସଂସ୍କାର ପ୍ରଥା । ଗଞ୍ଜାମ ବଡ଼ଖଣ୍ଡାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସରକାର ଓ ପ୍ରଶାସନର ସଚେତନତା ସତ୍ତେ୍ୱ ସୁଧୁରୁନି ବାସନ୍ଦ ଭଳି ପ୍ରଥା । ଗାଁରେ ବସୁଛି କଙ୍ଗାରୁ କୋର୍ଟ, ମିଳୁଛି ଅର୍ଥ ଦଣ୍ଡ, ତଣ୍ଡ ନଗଣିଲେ କରାଯାଉଛି ବାସନ୍ଦ । ବାସନ୍ଦ ପରେ ଭୋଗିବାକୁ ପଡୁଛି ଅନେକ କଷ୍ଟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରା ସିଂ ଥାନା ବଡ଼ଖଣ୍ଡା ଗ୍ରାମରେ ।
ଗାଁର ଭୀମ ଗୌଡ଼ଙ୍କ ସମେତ ତାଙ୍କର ତିନି ପୁଅଙ୍କୁ ତିନି ବର୍ଷ ହେଲା ଗାଁ ମୁଖିଆ ଓ ଗ୍ରାମବାସୀ ବାସନ୍ଦ କରି ରଖିଥିବା ଅଭିଯୋଗ ହୋଇଛି । ତିନି ବର୍ଷ ପୂର୍ବେ ବିଜୟ ଗୌଡ଼ଙ୍କ ପୁଅକୁ ଜ୍ୱର ହୋଇଥିଲା । ତେବେ ଚିକିତ୍ସା ପାଇଁ ମେଡିକାଲ ନେବା ପରିବର୍ତ୍ତେ ଗାଁ ନିକଟ ଏକ ଗୁଣିଆ ଡାକି ଝାଡ଼ ଫୁଙ୍କ କରାଇଥିଲେ ପରିବାର ଲୋକେ । ଗାଁ ଲୋକେ ପିଲାଟିକୁ ଦାଦା ଶୁଲ ଗୌଡ଼ ଗୁଣି କରିଥିବା କହି ତାଙ୍କୁ ତିନି ଲକ୍ଷ ଟଙ୍କା ଜରିମନା ପକାଇଥିଲେ । ସେମାନେ ଏହିଁ ଟଙ୍କା ଗାଁ କୋଠକୁ ଦେଇ ନ ପାରିବାରୁ ତାଙ୍କୁ ନିଆଁ ପାଣି ମନା କରାଯାଇଥିବା ସୁଲ ଗୌଡ଼ ଅଭିଯୋଗ କରିଛନ୍ତି ।
ଖାଲି ସେତିକି ନୁହେଁ ଗାଁରେ ଭଣ୍ଡାରୀ, ଜାନୀ, ଦୋକାନୀଙ୍କ ସାହାଯ୍ୟ ନେବାକୁ ମଧ୍ୟ ଗାଁ ସଭାରେ ମନା କରାଯାଇଛି । ଏହାସହିତ ଯଦି ଗାଁର କୌଣସି ଦୋକାନୀ କିମ୍ବା ଲୋକେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ମଧ୍ୟ ଜରିମନା କରାଯିବ ବୋଲି ସଭାରେ କୁହାଯାଇଛି । କେବଳ ସୁଲ ଗୌଡ ନୁହେଁ, ୩ଟି ପରିବାରର ୧୪ ଜଣ ଏବେ ସାମାଜିକ ବାସନ୍ଦ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ।
ଅନ୍ୟପଟେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହି ପରିବାର ଉପରୁ ବାସନ୍ଦ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବୁଝାମଣା କରି ସମାଧାନ କରିବା ପାଇଁ ତାରସିଙ୍ଗ ଥାନା ଅଧିକାରୀ ଓ ଜଗନ୍ନାଥପ୍ରସାଦ ବ୍ଲକ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।