ଥାନା ଉପରେ ଆକ୍ରମଣ କରିଦେଲେ ୨୦୦ ଲୋକ: ବିଶୃଙ୍ଖଳାରେ ଅନେକ ପୋଲିସ ଆହତ

ଗଜପତି: ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକା ସାଙ୍ଗରେ ପ୍ରାୟ ୨୦୦ ଲୋକ ପୋଲିସ ଷ୍ଟେସନ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣର ଖୁବ ଅଦ୍ଭୁତ କାରଣ ଜାଣିବାକୁ ମିଳିଛି । ଜଣେ ଅପରାଧୀକୁ ଗିରଫ କରାଯିବା ପରେ ସ୍ଥାନୀୟ ଲୋକେ ଏପରି କାଣ୍ଡ ଘଟରାଇଥିବା ଅଭିଯୋଗ ହୋଇଛି । ଥାନା ଉପରେ ଆକ୍ରମଣ କରିବା ସହ ଏଥିରେ କିଛି ପୋଲିସ ଅଫିସର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗଞ୍ଜେଇ ତସ୍କରୀ ଅଭିଯୋଗରେ ଜଣକୁ ଗିରଫ କରିଥିଲା ପୋଲିସ । ତେବେ ଏହାକୁ ବିରୋଧ କରି ବିକ୍ଷୋଭକାରୀମାନେ ଥାନାର ଗେଟ ଭାଙ୍ଗିବା ସହ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ । ଏହାସହିତ ପୋଲିସ ଅଧିକାରୀଙ୍କୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ । ଏ ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ବିକ୍ଷୋଭକାରୀ । ଏହି ଆକ୍ରମଣରେ ପ୍ରାୟ ୭-୮ଜଣ କର୍ମଚାରୀ ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ମେଡିକାଲରେ ଏମାନଙ୍କର ଚିକିତ୍ସା ଚାଲୁ ରହିଛି ।

ଏବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରୁଛନ୍ତି ବରିଷ୍ଠ ଅଧିକାରୀ । ତେବେ ମିଛ କେସରେ ଜଣେ ନିର୍ଦ୍ଦୋଷକୁ ପୋଲିସ ଗିରଫ କରିଥିବା କୁହାଯାଉଛି । ତେଣୁ ଗିରଫ କରାଯାଇଥିବା ସମସ୍ତ ଯୁବକଙ୍କୁ ଛାଡ କରିବା ପାଇଁ ଦାବି କରିଛନ୍ତି । ତେବେ ଏହି ଆନ୍ଦୋଳନକାରୀଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ରୁଜୁ କରିଛି ପୋଲିସ ।