ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କ ପକ୍ଷରୁ ପୁଣି ଥରେ ଭାରତୀୟ ଖାତାଧାରୀଙ୍କ ଲିଷ୍ଟ ଜାରି କରାଯାଇଛି । ବାର୍ଷିକ ସ୍ୱଚାଳିତ ସୂଚନା ବିନିମୟ ଆଧାରରେ ସ୍ୱିସ୍ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ଚତୁର୍ଥ ଲିଷ୍ଟ ପ୍ରଦାନ କରିଛି । ଏଥିରେ ଭାରତୀୟ ନାଗରିକ ଓ ସଂଗଠନଙ୍କ ଆକାଉଣ୍ଟର ସମସ୍ତ ବିବରଣୀ ରହିଛି । କାହା ଆକାଉଣ୍ଟରେ କେତେ ଟଙ୍କା ଜମା ରହିଛି ତାହା ଏବେ ସ୍ପଷ୍ଟ ହୋଇଯିବ ।
ସୂଚନା ମୁତାବକ, ସ୍ୱିଜରଲ୍ୟାଣ୍ଡ ପକ୍ଷରୁ ୧୦୧ଟି ଦେଶର ପାଖାପାଖି ୩୪ ଆର୍ଥିକ ଖାତାର ସବିଶେଷ ବିବରଣୀ ଶେୟାର କରାଯାଇଛି । ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ଏହି ଲିଷ୍ଟରେ ଶହ ଶହ ଭାରତୀୟ ଆର୍ଥିକ ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଏଥିରେ କିଛି ବ୍ୟକ୍ତି, କର୍ପୋରେଟ୍ସ, ଟ୍ରଷ୍ଟଙ୍କର ଜମା ଖାତା ସାମିଲ ରହିଛି । ତେବେ ଭାରତ ସହିତ ଶେୟାର କରାଯାଇଥିବା ଖାତାରେ କେତେ କଳାଧନ ଜମା ରହିଛି, ସେନେଇ ବର୍ତ୍ତମାନ କିଛି କୁହାଯାଇନାହିଁ । ଟ୍ୟାକ୍ସରୁ ବର୍ତ୍ତିବା ଓ ଆର୍ଥିକ ହେରଫେରକୁ ଲୁଚାଇବା ପାଇଁ ସ୍ୱିସ୍ ବ୍ୟାଙ୍କରେ ଖାତା ଖୋଲାଯାଇଥିଲା ।
ଫେଡେରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (ଏଫଟିଏ) ମୁତାବକ, ଚଳିତ ଥର ସ୍ୱିସ ବ୍ୟାଙ୍କରେ ପାଖାପାଖି ୧ ଲକ୍ଷ ନୂଆ ଆକାଉଣ୍ଟ ଖୋଲାଯାଇଛି । ଭାରତର ବଡ଼ ବଡ଼ ସଂସ୍ଥା, ବିଜିନେସ ହାଉସ ଓ ବ୍ୟକ୍ତିଙ୍କର ଖାତା ଏଥିରେ ରହିଛି । ଖାତାଧାରୀଙ୍କ ନାମ, ଠିକଣା ସହିତ ଅନ୍ୟ ଆର୍ଥିକ ତଥ୍ୟର ଡିଟେଲ୍ସ ରହିଛି । ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ସ୍ୱିସ ବ୍ୟାଙ୍କ ପକ୍ଷରୁ ଖାତାଧାରୀଙ୍କ ପଞ୍ଚମ ଲିଷ୍ଟ ଜାରି କରାଯିବ । ଚଳିତ ଥର ୫ଟି ନୂଆ ଦେଶକୁ ଡାଟା ଏକ୍ସଚେଞ୍ଜ ପ୍ରୋଗ୍ରାମରେ ସାମିଲ କରାଯାଇଛି । ସେହି ଦେଶଗୁଡ଼ିକ ମଧ୍ୟରେ ଅଲବାନିଆ, ବ୍ରନେଇ ଦାରୁସସଲାମ, ପେରୁ ଓ ତୁର୍କୀ ରହିଛନ୍ତି ।