fbpx

Jaga Mission: ଭୂମିହୀନଙ୍କୁ ମିଳିବ ମାଗଣା ଜମି, ଆଜିଠାରୁ ଡ୍ରୋନ୍ ସର୍ଭେ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରେ ନିଜର ସ୍ୱପ୍ନର ଘର ଘଣ୍ଡିଏ ପାଇବା ଅଧିକାଂଶ ଲୋକଙ୍କର ସ୍ୱପ୍ନ ଥାଏ । ତେବେ ଏନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟର ୫ଟି ମହାନଗର ନିଗମର ବସ୍ତି ବାସିନ୍ଦାଙ୍କୁ ମିଳିବ ସ୍ଥାୟୀ ପଟ୍ଟା । ଜାଗା ମିଶନ ଜରିଆରେ ମହାନଗର ନିଗମ ଅଞ୍ଚଳର ଭୂମିହୀନଙ୍କୁ ଜମି ପଟ୍ଟା ମିଳିବା ସହିତ ରାସ୍ତା, ଷ୍ଟିଟ ଲାଇଟ ପରି ୯ଟି ମୌଳିକ ସୁବିଧା ମିଳିବ । ରାଜ୍ୟର ୫ଟି ମହାନଗର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାର ଭୂମିହୀନଙ୍କୁ ଏହି ସୁବିଧା ଦିଆଯିବ ।

ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରୋନ୍ ସର୍ଭେ କାର୍ଯ୍ୟ ଆରମ୍ଭ କରିବେ । ଜାଗା ମିଶନ ସର୍ଭେ କାର୍ଯ୍ୟ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ସହିତ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଡ୍ରୋନ୍ ସର୍ଭେ ପାଇଁ ରାଜ୍ୟର ୫ଟି ମହାନଗର ନିଗମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପତାକା ଦେଖାଇ ଡ୍ରୋନ୍ ଉଡ଼ାଇବେ । ବିଏମସି ପକ୍ଷରୁ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଧାୟକ, ମେୟର ଓ କମିସନର ଉପସ୍ଥିତ ରହିବେ ।

ରାଜ୍ୟର ସହରକୁ ବସ୍ତିମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି । ୨୦୧୭ରେ ରାଜ୍ୟ ସରକାର ପୌରାଞ୍ଚଳଗୁଡ଼ିକର ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ ନେଇ ନିଷ୍ପତ୍ତି ନେଇଥିଲେ । ୨୦୨୧ରେ ଏଥିରେ ସଂଶୋଧନ କରାଯାଇ ୫ଟି ମହାନଗର ନିଗମକୁ ଏଥିରେ ସାମିଲ କରାଯାଇଥିଲା । ଏହି ଯୋଜନାରେ ଭୂମିହୀନଙ୍କୁ ୩୦ରୁ ୪୫ ବର୍ଗମିଟର ଜମି ମାଗଣାରେ ଯୋଗାଇ ଦିଆଯିବ । ଭୁବନେଶ୍ୱରର ୪୩୬ଟି ଓ କଟକର ୨୭୨ଟି ବସ୍ତି ବାସିନ୍ଦାଙ୍କୁ ଏହି ଫାଇଦା ମିଳିବ । ଆସନ୍ତା ବର୍ଷ ସୁଦ୍ଧା ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯିବ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.