fbpx

ଶେଷ ଦିନିକିଆରେ ଦୃଢ଼ ପ୍ରତ୍ୟାବର୍ତନ, ବାଂଲାଦେଶକୁ ୨୨୭ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ତୃତୀୟ ତଥା ଶେଷ ଦିନିକିଆରେ ଭାରତ ବାଂଲାଦେଶକୁ ୨୨୭ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଟସ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ଘରୋଇ ଟିମ୍ ଆଗରେ ୪୧୦ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରିଥିଲା।

ତେବେ ଟାର୍ଗେଟକୁ ପିଛା କରି ବାଂଲାଦେଶ ୩୪ ଓଭରରେ ମାତ୍ର ୧୮୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଅକ୍ଷର ପଟେଲ ଏବଂ ଉମ୍ରାନ ମଲିକ ୨ ଲେଖାଏଁ ୱିକେଟ୍ ନେଇଛନ୍ତି। ତେବେ ଏହି ମ୍ୟାଚ ହାରିଥିଲେ ମଧ୍ୟ ଏହି ମ୍ୟାଚ୍ ସିରିଜର ଫଳାଫଳ ଉପରେ କୌଣସି ପ୍ରଭାବ ପକାଇ ନଥିଲା କାରଣ ବାଂଲାଦେଶ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି।

ଆଜିର ମ୍ୟାଚରେ ଭାରତ ପାଇଁ ଇଶାନ କିଶନ ୨୧୦ ରନର ଚମତ୍କାର ଇନିଂସ ଖେଳି ଇତିହାସ ସୃଷ୍ଟି କରିଥିବାବେଳେ ଅନ୍ୟପଟେ ବିରାଟ କୋହଲି ୧୧୩ ରନ ସ୍କୋର କରି ଅନ୍ତର୍ଜାତୀୟ କ୍ୟାରିୟରର ୭୨ ତମ ଶତକ ହାସଲ କରିଛନ୍ତି। କୋହଲି ଏବଂ ଇଶାନଙ୍କ ଇନିଂସ ବଳରେ ଭାରତ ୪୦୯ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶରୁ ତସ୍କିନ୍ ଅହମ୍ମଦ ୨, ମେହେଦି ହାସନ, ମୁସ୍ତାଫିଜୁର ରହମାନ ୨ଟି ଲେଖାଏଁ ୱିକେଟ୍ ପାଇଛନ୍ତି।

Get real time updates directly on you device, subscribe now.