fbpx

ଗୁଜୁରାଟର ହାତେଇବା ପରେ ମୋଦୀଙ୍କ ନଜର ଏହି ରାଜ୍ୟ ଉପରେ , ଏହି ୪ଟି ରାଜ୍ୟରେ ବିଜେପିର ନିର୍ବାଚନ ପ୍ରସ୍ତୁତି କିପରି ଅଛି; ଜାଣନ୍ତୁ

ନୂଆଦିଲ୍ଲୀ :ଗୁଜରାଟରେ ବିପୁଳ ବିଜୟ ପରେ ଏବେ ଏହି ୪ଟି ରାଜ୍ୟ ଉପରେ ମୋଦୀଙ୍କ ନଜର । ୨୦୨୪ ନିର୍ବାଚନ ପାଇଁ ମୋଦୀଙ୍କ ସେନା ସବୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଆସନ୍ତା ବର୍ଷ ଏହି ୪ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ଏବେ ଠାରୁ ବିଜେପି ତାର ଷ୍ଟ୍ରାଟେଜି ଆପ୍ଲାୟ କରିବା ଆରମ୍ଭ କରିଦେଲାଣି ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ମେଘାଳୟର ଶିଲଙ୍ଗରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ ଏବଂ ତ୍ରିପୁରାରେ ୪,୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରମୁଖ ପଦକ୍ଷେପ ପାଇଁ ଉଦ୍ଘାଟନ, ଉତ୍ସର୍ଗୀକୃତ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରି ଥିଲେ । ଶିଲଙ୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଅମିତ ଶାହା ମଧ୍ୟ ଭାଗ ନେଇଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରର କାର୍ଯ୍ୟକଳାପର “ମାନସିକତାରେ ପରିବର୍ତ୍ତନ” ଉପରେ ଆଲୋକପାତ କରି କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଉତ୍ତର-ପୂର୍ବର ବିକାଶ ପଥରେ ଆସୁଥିବା ଅନେକ ବାଧାବିଘ୍ନରେ ତାଙ୍କ ସରକାର କିପରି କାର୍ଯ୍ୟ କରୁଛନ୍ତି। ଏହା ସହିତ ଆସନ୍ତା ବର୍ଷ ଆରମ୍ଭରେ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଡିସେମ୍ବର ୨୦୨୩ ରେ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆଉ ଏହି ରାଜ୍ୟ ଉପରେ ବର୍ତ୍ତମାନ ସବୁ ଦଳର ନଜର ରହିଛି । ତେବେ ବିଜେପି ମଧ୍ୟ ଏହା ପାଇଁ ଆଖି ଡେରାଇ ବସିଛି । କୌଣସି ପ୍ରକାରରେ ଦଳ ଏଠାରେ କୌଣସି ଭୂଲ କରିବା ପାଇଁ ଚାହୁଁ ନାହିଁ । ତେବେ ଆସନ୍ତୁ ନଜର ପକାଇବା ଏହି ସବୁ ରାଜ୍ୟରେ ବିଜେପିର ସ୍ଥିତି କିଭଳି ଅଛି ।

ତ୍ରିପୁରା:ତ୍ରିପୁରାରେ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ୩୫ ଟି ଆସନ ଜିତିଥିଲା। କିନ୍ତୁ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ଏବଂ ଏହାର ପ୍ରତିଦ୍ୱନ୍ଦ୍ୱୀ ବାମପନ୍ଥୀ ମଧ୍ୟରେ ଭୋଟ୍ ମାର୍ଜିନ ପାର୍ଥକ୍ୟ ୨% ରୁ କମ୍ ଥିଲା । ଦଳ ନିକଟରେ ନିର୍ବାଚନ ଦାୟିତ୍ୱ ତୁଲାଇବା ପାଇଁ ୩୦ ଟି ପ୍ୟାନେଲ ସ୍ଥାପନ କରି ରାଜ୍ୟ ସ୍ତରରେ ସଂଗଠନକୁ ମରାମତି କରୁଛି । ଏହାର ପ୍ରମୁଖ ଆଦିବାସୀ ସହଯୋଗୀ, ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା (ଆଇପିଏଫଟି) ସହିତ ବିଜେପିର ସମ୍ପର୍କ ତିକ୍ତ ହୋଇପଡିଛି ଏବଂ ସେମାନଙ୍କ ମେଣ୍ଟ ଜାରି ରହିବ କି ନାହିଁ ତାହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ମେଘାଳୟ: ୨୦୧୮ ରେ, କଂଗ୍ରେସ ମେଘାଳୟର ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା, କିନ୍ତୁ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। କେବଳ ୨ ଟି ଆସନ ଜିତିଥିବା ବିଜେପି ଜାତୀୟ ପିପୁଲ୍ସ ପାର୍ଟି (ଏନପିପି) ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲା, କିନ୍ତୁ ଏଥର ଏନପିପି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ୨୦୨୩ ନିର୍ବାଚନରେ ​​ଏକୁଟିଆ ଲଢ଼ିବ। ଗତ ନିର୍ବାଚନରେ ​​ଖାତା ଖୋଲିବାରେ ବିଫଳ ହୋଇଥିବା ଟିଏମସି ମଧ୍ୟ ମେଘାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି। ଟିଏମସି ସଭାପତି ମମତା ବାନାର୍ଜୀ ଏବଂ ତାଙ୍କ ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ୩ ଦିନିଆ ରାଜ୍ୟ ଗସ୍ତ କରିଛନ୍ତି।

ନାଗାଲାଣ୍ଡ: ୨୦୧୮ ନାଗାଲାଣ୍ଡ ନିର୍ବାଚନ ପୂର୍ବରୁ ନ୍ୟାସନାଲିଷ୍ଟ ଡେମୋଗ୍ରାଟିକ ପୋଗ୍ରେସିଭ ପାର୍ଟି (ଏନଡିପିପି) ସହିତ ବିଜେପି ଏକ ମେଣ୍ଟ ଗଠନ କରି ସରକାର ଗଠନ କଲା। ଇଣ୍ଡିଆ ଟୁଡେ ଅନୁଯାୟୀ, ୨୦୨୩ ନିର୍ବାଚନରେ ​​ବିଜେପି ୨୦ଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବା ଏବଂ ୪୦ ଟିରେ ଏନଡିପିପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଯୋଜନା କରିଛି। ଗତ ମାସରେ ନାଗାଲାଣ୍ଡ ବିଜେପିର ତିନିଜଣ ଜିଲ୍ଲା ସଭାପତି ଜନତା ଦଳ (ୟୁନାଇଟେଡ୍) ରେ ଯୋଗ ଦେଇଥିଲେ। ହେଲେ ଚିନ୍ତାର ବିଷୟ ହେଲେ ନାଗାଲାଣ୍ଡର ୧୬ ଟି ଜିଲ୍ଲାର ସାତୋଟି ଜନଜାତିର ଏବେ ପୃଥକ ରାଜ୍ୟ ପାଇଁ ଦାବି ଯାହା ବିଜେପି ନେତୃତ୍ୱାଧୀନ ମିଳିତ ମଞ୍ଚ ପାଇଁ ଆଉ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ମିଜୋରାମ: ଚଳିତ ବର୍ଷ ଅକ୍ଟୋବରରେ ମିଜୋରାମ ବିଜେପି ମୁଖ୍ୟ ଭନଲାଲମୁଆକା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ୨୦୨୩ ନିର୍ବାଚନରେ ​​ମିଜୋରାମରେ ଥିବା ୪୦ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବର୍ତ୍ତମାନ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାର କ୍ଷମତାରେ ଅଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ​​ଜୋରାମଥାଙ୍ଗା ନେତୃତ୍ୱାଧୀନ ଦଳ ୪୦ ଟି ସିଟ୍ ମଧ୍ୟରୁ ୨୬ ଟି ଜିତି କଂଗ୍ରେସକୁ ୫ ଟି ଆସନ ଛାଡି ଦେଇଥିଲା । ୨୦୧୮ ରେ ପ୍ରଥମ ଥର ପାଇଁ ମିଜୋରାମରେ ବିଜେପି ନିଜର ଖାତା ଖୋଲିଥିଲା ​।

Get real time updates directly on you device, subscribe now.