fbpx

୨୦୨୫ ସୁଦ୍ଧା ଭାରତର ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା

୨୦୨୫ ସୁଦ୍ଧା ଭାରତର ୫୦ ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଆଜି ‘ଭଏସ୍‍ ଅଫ୍‍ ଗ୍ଲୋବାଲ ସାଉଥ୍‍ ସମ୍ମିଟ୍‍’ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ସ୍କୁଲ, ଦକ୍ଷତା ଏବଂ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନ୍ୟାସନାଲ କ୍ରେଡିଟ୍‍ ଫ୍ରେମୱାର୍କ-ଏନସିଏଫ୍‍ ବିକଶିତ କରାଯାଇଛି । ଯେତେବେଳେ ଭାରତ ଜିଟ୍ୱେଣ୍ଟିର ଅଧ୍ୟକ୍ଷତା କରୁଛି ସେହି ସମୟରେ ‘ଭଏସ୍‍ ଅଫ୍‍ ଗ୍ଲୋବାଲ ସାଉଥ୍‍ ସମ୍ମିଟ୍‍’ ନୂଆ ଆଇଡିଆ ଏବଂ ଗ୍ଲୋବାଲ୍‍ ସାଉଥ୍‍ ଦେଶଗୁଡ଼ିକର ବାର୍ତ୍ତାକୁ ଏହି ମଞ୍ଚରେ ଉପସ୍ଥାପନ କରିପାରିବାର ଏକ ଭଲ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱର ସବୁଠୁ ଅଧିକ ଯୁବବର୍ଗ ଭାରତରେ ଅଛନ୍ତି । ୧୫ ଲକ୍ଷରୁ ଊଦ୍ଧ୍ୱର୍ ବିଦ୍ୟାଳୟ, ପ୍ରାୟ ୧ ହଜାର ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଶ୍ୱର ବିବିଧତା ଶିକ୍ଷା ବ୍ୟବସ୍ଥା ରହିଛି ।

ଡେମୋଗ୍ରାଫିକ୍‍ ଡିଭିଡେଣ୍ଡର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦କୁ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଛନ୍ତି । ଶିକ୍ଷାର ଅନ୍ତର୍ଜାତୀୟକରଣ ଏହାର ମୂଳନୀତି ରହିଛି ବୋଲି ସେ କହିଛନ୍ତି । ଗ୍ଲୋବାଲ ସାଉଥ୍‍ ଦେଶର ସହଭାଗୀତାରେ ଭାରତ ଏକବିଂଶ ଶତାବ୍ଦୀରେ ନିଜ ଦେଶଗୁଡ଼ିକରେ ସାର୍ବଭୌମିକ ଶିକ୍ଷା ଏବଂ ମାନବ ସମ୍ବଳ ବିକାଶର ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.