fbpx

ଆକାଶରେ ବିଜୁଳିର ଗତିପଥକୁ ବଦଳାଇଦେବ Rapid Fire Laser: ୨୦ ବର୍ଷ ପରେ ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ଆଗକୁ ଆଗେଇ ଚାଲିଛି । ବୈଜ୍ଞାନିକମାନେ ମଣିଷ, ବୃକ୍ଷଲତା, ସରିସୃପ, ଜଳବାୟୁ, ମହାକାଶ, ସମୁଦ୍ର ଉପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛନ୍ତି । ତେବେ ଏହା ମଧ୍ୟରେ ବୈଜ୍ଞାନିକଙ୍କୁ ଏକ ବଡ଼ ସଫଳତା ମିଳିଛି । ଆଗାମୀ ଦିନମାନଙ୍କରେ ମଣିଷକୁ ବିଜୁଳିକୁ ନେଇ ଆଉ ଆତଙ୍କିତ ହେବାକୁ ପଡ଼ିବନି । ବର୍ଷା ସମୟରେ ବିଜୁଳି ମାରିବା କାରଣରୁ ଅନେକ ସମୟରେ ମଣିଷ, ଗାଈଗୋରୁ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ତେବେ ବୈଜ୍ଞାନିକଙ୍କ ଏହି ସଫଳତା ମାନବ ଜାତିର ହିତ ସାଧନରେ ସହାୟକ ହେବାର ସମ୍ଭାବନା ରହିଛି ।

ସ୍ୱିଜରଲ୍ୟାଣ୍ଡର ଆପଲସ ପାହାଡ଼ ଉପରେ ବୈଜ୍ଞାନିକମାନେ ଏହି ପ୍ରୟୋଗ କରିଥିଲେ । ଲେଜରରେ ର୍ୟାପିଡ ଫାୟାର କରି ଆକାଶର ବିଜୁଳିର ଗତିପଥକୁ ବଦଳାଇବାରେ ସକ୍ଷମ ହୋଇଛନ୍ତି ବୈଜ୍ଞାନିକମାନେ । ବୈଜ୍ଞାନିକଙ୍କ ଏହି ସଫଳତାରେ ଭବିଷ୍ୟତରେ ମଣିଷକୁ ବିଜୁଳି ମୃତ୍ୟୁରୁ ବଞ୍ଚାଇ ପାରିବ । ଯଦି ବିଜୁଳିକୁ ଧରିତ୍ରୀ ସହ ମାଡ଼ ହେବାରୁ ରୋକାଯାଇ, ତେବେ ଏହାଦ୍ୱାରା ଅନେକ ଜୀବନ ରକ୍ଷା ହୋଇ ପାରିବ ।

ତେବେ ଏହି ଟେକନିକରେ କିଛି ସୁଧାର କରାଯାଇ ଗୁରୁତ୍ୱପୂର୍ଣ୍ଣ କୋଠା ଓ ସ୍ଥାନମାନଙ୍କରେ ସୁରକ୍ଷା ପାଇଁ ପ୍ରୟୋଗ କରାଯାଇ ପାରିବ । ଏଥିସହିତ ଏୟାରପୋର୍ଟ, ରେଲୱେ ଷ୍ଟେସନ ସମେତ ଅନେକ ସମ୍ବେଦନଶୀଳ ସ୍ଥାନକୁ ମଧ୍ୟ ବିଜୁଳି ପ୍ରଭାବରୁ ରକ୍ଷା କରାଯାଇ ପାରିବ । ୟୁରୋପର ଯେଉଁ ଅଞ୍ଚଳ ବିଜୁଳି ମାରିବା କାରଣରୁ ସବୁଠାରୁ ବେଶି ପ୍ରଭାବିତ ହୋଇଥାଏ, ଉକ୍ତ ଅଞ୍ଚଳରେ ବୈଜ୍ଞାନିକମାନେ ଏହି ପ୍ରୟୋଗ କରିଥିଲେ । ତେବେ ଏହି ଟେକନିକକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ସମୟ ଲାଗିବ । ଏହି ପ୍ରୟୋଗକୁ ସଫଳ କରିବା ପାଇଁ ବୈଜ୍ଞାନିକମାନେ ଗତ ୨୦ ବର୍ଷ ଧରି ଏହା ଉପରେ କାମ କରିଆସୁଥିଲେ ।

Get real time updates directly on you device, subscribe now.