ଟେଷ୍ଟ ଅଧିନାୟକ ପଦରୁ ରୋହିତଙ୍କ ଛୁଟି! ରେସରେ ୩ ନୂଆ ଖେଳାଳି, ଟିମ୍ ଇଣ୍ଡିଆ ଭବିଷ୍ୟତ ପାଇଁ BCCI କରୁଛି ପ୍ଲାନିଂ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ନୂଆ ଯୋଜନା କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଗତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ତେବେ ଆସନ୍ତା ଟି-୨୦ ବିଶ୍ୱକପରେ ସିନିୟର ଖେଳାଳିଙ୍କୁ ଆଉଟ୍ କରି ନୂଆ ଖେଳାଳିଙ୍କୁ ସ୍ଥାନ ଦେବାକୁ ବିସିସିଆଇ ପ୍ଲାନିଂ କରୁଛି ।

ଅନୁରୂପ ଭାବେ ଟିମ୍ ଇଣ୍ଡିଆର ଟେଷ୍ଟ ମ୍ୟାଚ ପାଇଁ ମଧ୍ୟ ବିସିସିଆଇ ନୂଆ ଯୋଜନା ଲାଗୁ କରିପାରେ । ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ୩୫ ବର୍ଷ ବୟସରେ ପାଦ ଦେଇଥିବା ବେଳେ ସେ ଦୀର୍ଘ ବର୍ଷ ଧରି ଦଳର ଦାୟିତ୍ୱ ନେଇ ପାରିବେ ନାହିଁ । ଏପରି ସ୍ଥଳେ ବିସିସିଆଇ ତିନିଜଣ ନୂଆ ଖେଳାଳିଙ୍କୁ ଦାୟିତ୍ୱ ଦେବାର ସମ୍ଭାବନା ରହିଛି । ଖୁବଶୀଘ୍ର ବିସିସିଆଇ ନୂଆ ଟେଷ୍ଟ ଅଧିନାୟକଙ୍କ ନାମ ଘୋଷଣା କରିପାରେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଟିମ୍ ଇଣ୍ଡିଆର ଟେଷ୍ଟ ମଙ୍ଗ ଧରିବ କିଏ? ତେବେ ଏହି ୩ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶୁଭମନ ଗିଲ, ଶ୍ରେୟସ ଆୟର ଓ ଋଷଭ ପନ୍ତ । ୨୩ ବର୍ଷୀୟ ଶୁଭମନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଦ୍ୱିଶତକ ହାସଲ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଜଣେ ଓପନର ଭାବେ ଟେଷ୍ଟର ତାଙ୍କର ଭବିଷ୍ୟତ ଖୁବ୍ ଉଜ୍ଜ୍ୱଳ । ସେହିପରି ୨୮ ବର୍ଷୀୟ ଶ୍ରେୟସ ବର୍ତ୍ତମାନ ସୁଦ୍ଧା ୭ଟି ଟେଷ୍ଟ ଖଳି ୫୬.୭୩ ଆଭରେଜରେ ୬୨୪ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ ୧ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେୟସ ଜଣେ ଭଲ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ । ୨୫ ବର୍ଷୀୟ ଋଷଭ ଟେଷ୍ଟ କ୍ରିକେଟରେ ଜଣେ ଭଲ ମ୍ୟାଚ ୱିନର ଅଟନ୍ତି । ଜଣେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ପନ୍ତଙ୍କ ନିକଟରେ ଏବେ କ୍ରିକେଟର ଲମ୍ବା କ୍ୟାରିୟର ଖାଲି ପଡ଼ିଛି । ତେଣୁ ତାଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି ।