fbpx

ଥରେ ଫେରିଆ ଗଉରା… କାନ୍ଦୁଛି ଓଡ଼ିଶା: ପିଣ୍ଟୁଙ୍କ ସହିତ ବିଜୟ, ମିହିର, ରାଇ, ହରଙ୍କୁ ଆଜି ବି ଝୁରୁଛି ଓଲିଉଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସବୁଦିନ ପାଇଁ ଶୋଇ ଯାଇଛନ୍ତି ଆମ ଓଡ଼ିଶାର ଘରେ ଘରେ ପରିଚିତ ସଭିଙ୍କ ପ୍ରିୟ ଗଉରା ପିଣ୍ଟୁ ନନ୍ଦ । ପ୍ରଥମେ ଭୁବନେଶ୍ୱର, ତା’ପରେ ଦିଲ୍ଲୀ, ଆଉ ଏବେ ହାଇଦ୍ରାବାଦ । କେହି ଆମ ଗଉରାକୁ ରୋକି ପାରିଲେନି । ଯେତେ ଡାକିଲେ ବି ଆଉ ଗଉରା ମାଉଁସ ଖାଇବନି । ମାତ୍ର ୪୭ ବର୍ଷ ବୟସରେ ଓଲିଉଡ ଇଣ୍ଡଷ୍ଟ୍ରିର ଅଲରାଉଣ୍ଡର ପିଣ୍ଟୁ ନନ୍ଦ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ମାର୍ଚ୍ଚ ମାସ ୧ ତାରିଖ ରାତି ୧୧.୨୫ ମିନିଟରେ ଥମି ଯାଇଯାଇଥିଲା ପିଣ୍ଟୁଙ୍କ ସ୍ପନ୍ଦନ । ଏଥିସହିତ ହଜାର ହଜାର ପ୍ରଶଂସକଙ୍କ ଆକୁଳ ପ୍ରାର୍ଥନା ହାର ମାରିଥିଲା । ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହେବା ପରେ ଓଲିଉଡର ସାଥୀ କଳାକାର, ଓଡ଼ିଶାବାସୀ ତାଙ୍କୁ ବିପୁଳ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ମାତ୍ର ଆଜି ସେସବୁ ସତେ ଯେମିତି ବୃଥା ପାଲଟିଛି । ଆଜି ଟିଭି, ନ୍ୟୁଜପେପର, ସୋସିଆଲ ମିଡ଼ିଆ ପିଣ୍ଟୁଙ୍କ ପାଇଁ ମଧ୍ୟ ଝୁରି ହେଉଛି ।

ପିଣ୍ଟୁ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ । ସେ ନା ଥିଲେ ନାୟକ ନା ଖଳନାୟକ, ସେ ଥିଲେ ଜଣେ ଅଲରାଉଣ୍ଡର । ବିଭିନ୍ନ ଚରିତ୍ରରେ ସେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ । ତାଙ୍କର ଅଭିନୀତ ଓଡ଼ିଆ ଆଲବମ ‘ଏ ଗଉରା କଣ ଖାଉଚୁ’ ଆଜି ବି ଶ୍ରୋତାଙ୍କ ମନରେ ଗୁଣୁଗୁଣୁ ହେଉଛି । ‘ରଙ୍ଗ ନମ୍ବର’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ପିଣ୍ଟୁଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ ଏହା ଈଶ୍ୱରଙ୍କ ନିକଟରେ କାମନା ।

ପିଣ୍ଟୁ ଅଚାନକ ଦେହାନ୍ତ ପରେ ଓଲିଉଡ ସତେ ଯେମିତି ଅନାଥ ପାଲଟି ଯାଇଛି । କେବଳ ପିଣ୍ଟୁ ନୁହନ୍ତି, ଏହା ପୂର୍ବରୁ ବହୁ କିମ୍ବଦନ୍ତୀ ଅଭିନେତା, ଅଭିନେତ୍ରୀ ଓଡ଼ିଉଡ ଫିଲ୍ମ ଜଗତରୁ ପରଲୋକ ଗମନ କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ବର୍ଷିଆନ ଅଭିନେତା ବିଜୟ ମହାନ୍ତି, ମିହିର ଦାସ, ଦେବୁ ବୋଷ, ହର ପଟ୍ଟନାୟକ, ରାଇମୋହନ ପରିଡ଼ା, ସୁଜାତା, କଣ୍ଠଶିଳ୍ପୀ ତପୁ ମିଶ୍ର କଳା ଜଗତକୁ ଅଲବିଦା କହିଛନ୍ତି । ଏଭଳି କଳାକାର ବୋଧହୁଏ ଭବିଷ୍ୟତରେ କେବେ ଆଉ ଜନ୍ମ ନେବେନି ।

Get real time updates directly on you device, subscribe now.