fbpx

ରାଜଧାନୀରେ ଦୁଇଟି ଜୀବନ ନେଲା କରୋନା: ଭାଇରସକୁ ନେଇ ପୁଣି ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ଧୀରେଧୀରେ ବଢ଼ୁଥିବାରୁ ଏହାକୁ ହେୟଜ୍ଞାନ ନକରି ସାବଧାନତାର ସହ ସମସ୍ତ କୋଭିଡ୍ ନିୟମ ପାଳନ କରିବାକୁ କେନ୍ଦ୍ର ଓ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିସହିତ କୋଭିଡର ନୂଆ ନୂଆ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ମଧ୍ୟ ଜାରି କରାଯାଇଛି ।

ତେବେ ଏହା ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି କରୋନାରେ ୨ ଜଣ ରୋଗୀଙ୍କର ଜୀବନ ଚାଲି ଯାଇଛି । ଗତବର୍ଷ ସେପ୍ଟେମ୍ବର ମାସ ପରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ୩୦୦ଟି ନୂଆ ମାମଲା ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀରେ ପଜିଟିଭିଟି ହାର ପାଖାପାଖି ୧୪ ପ୍ରତିଶତରେ ପହଞ୍ଚି ଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଦିଲ୍ଲୀରେ ବର୍ତ୍ତମାନ ସମୟରେ ୧୬୩ ଜଣ ରୋଗୀ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୦୬ରେ ପହଞ୍ଚିଥିବା ବେଳେ ପଜିଟିଭିଟି ହାର ୧୩.୮୯ ପ୍ରତିଶତ ରହିଛି । ଏହାଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୦୯,୩୬୧ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬,୫୨୬ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ମୋଟ ୧,୯୮,୨୦,୨୯ ରୋଗୀ ଏହି ଘାତକ ବିମାରୀରୁ ସୁସ୍ଥ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୦୦ରୁ ଅଧିକ ନୂଆ କେସ୍ ଆସିଛି ।

Get real time updates directly on you device, subscribe now.