(Video) ଓଡ଼ିଶାର ଗ୍ରାହକ ସାବଧାନ: ସୁପର ମାର୍କେଟରୁ ଶସ୍ତା ଖାଦ୍ୟ କିଣନ୍ତୁ ନାହିଁ, ପ୍ୟାକେଟରେ ଡିଓ ମାରି ଏକ୍ସପାରୀ ଡେଟ୍ ଲିଭାଇ ଦେଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଶସ୍ତା ଜିନିଷର ବେଶି ଚାହିଦା । ଗ୍ରାହକଙ୍କ ରୁଚିକୁ ଦୃଷ୍ଟିକୁ ରଖି ଅନେକ ସମୟରେ ଖାଦ୍ୟ, ପୋଷାକ ତଥା ଅନ୍ୟ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ କରିଥାନ୍ତି । ଆଜିକାଲି ବଡ଼ ବଡ଼ ସହରରେ ଖୋଲିଥିବା ସୁପରମାର୍କେଟରେ ‘ବାଏ ୱାନ ଗେଟ୍ ୱାନ’ ଭଳି ଏକାଧିକ ଶସ୍ତା ଅଫର ଲଞ୍ଚ କରିଥାନ୍ତି । ଗ୍ରାହକମାନେ ମଧ୍ୟ କମ୍ ଦାମରେ ଅଧିକ ଜିନିଷ ପାଉଥିବା ନେଇ ଖୁସି ଅନୁଭବ କରିଥାନ୍ତି ।

ଯଦି ଆପଣମାନେ ଏଭଳି ଶସ୍ତାର ବଶବର୍ତ୍ତୀ ହୋଇ କୌଣସି ସାମଗ୍ରୀ କିଣୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଲୋକଙ୍କୁ ଆକର୍ଷଣୀୟ ଅଫର ମାଧ୍ୟମରେ ଭୂତାଇ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିଲା । ଏନେଇ ଆଜି କଟକର ବାଦାମବାଡ଼ି ଥାନା ପୋଲିସ ଭି-ବଜାର ଉପରେ ଚଢ଼ାଉ କରିଛି । ଭି-ବଜାରରେ ଅଧିକାଂଶ ଖାଦ୍ୟ ସାମଗ୍ରୀର ଡେଟ୍ ଏକ୍ସପାରି ହୋଇଥିବା ଜଣାପଡ଼ିଥିଲା ।

ତେବେ କଟକ ସହରର ଭି-ବଜାର ଭଳି ଏକ ବଡ଼ ଶୋରୁମରୁ ଲୋକମାନେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗୀ ନେଇ ଖାଉଥିଲେ । କୁହାଯାଉଛି, ଅଧିକ ଲୋଭରେ ଦୋକାନୀ ମାଲିକ ଖାଦ୍ୟ ପ୍ୟାକେଟରେ ଲେଖାଥିବା ଏକ୍ସପାରୀ ଡେଟ୍ ଉପରେ ଡିଓ ମାରି ଲିଭାଇ ଦେଉଥିଲେ । ଫଳରେ ଉକ୍ତ ଖାଦ୍ୟ ଏକ୍ସପାରୀ ଡେଟ୍ ହୋଇଯାଇଥିବା ନେଇ ଗ୍ରାହକମାନେ ସହଜରେ ଜାଣିପାରନ୍ତି ନାହିଁ । ତେବେ ପ୍ରତ୍ୟେକ ଖାଦ୍ୟର ମାନ ଯାଞ୍ଚ ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) ତାହାକୁ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଥାନ୍ତି । ତେଣୁ ଏହିସବୁ ଖରାପ ଖାଦ୍ୟ ଖାଇଲେ ଲୋକଙ୍କର ଅବସ୍ଥା କ’ଣ ହେବ ତାହା ନିହାତି ଚିନ୍ତା କରିବାର ବିଷୟ । ଏଭଳି ଅନ୍ୟ କେଉଁଠାରେ ଖରାପ ଖାଦ୍ୟ ବିକ୍ରି ହେଉଛି ସେନେଇ ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।