fbpx

ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟଙ୍କ ଉଦ୍‍ବେଗ, ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

କଟକ: ରାଜ୍ୟର ବିଭିନ୍ନ ଜଙ୍ଗଲରେ ବୃଦ୍ଧି ପାଉଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍‍ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଯୁଗ୍ମ ଟାସ୍କ ଫୋର୍ସ ଆଜି ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରି ଗତ ଦୁଇମାସ ମଧ୍ୟରେ ୧୮ଟି ହାତୀ ମରିଥିବା ଏବଂ ହାତୀ ଆକ୍ରମଣରେ ୨୦ ଜଣ ପ୍ରାଣ ହରାଇଥିବା ଦର୍ଶାଇଥିଲା।

ତେବେ ବିଦ୍ୟୁତ ଆଘାତରେ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିବାରୁ ଏହାକୁ ନେଇ ହାଇକୋର୍ଟ ଉଦ୍‍ବେଗ ପ୍ରକାଶ କରିଥିଲେ। ବିଦ୍ୟୁତ୍‍ ଆଘାତରୁ କିପରି ହାତୀମାନଙ୍କୁ ରକ୍ଷା କରାଯାଇପାରିବ ସେ ନେଇ ତୁରନ୍ତ ଟିପିସିଓଡିଏଲ୍‍ ଯୁଗ୍ମ ଟାସ୍କଫୋର୍ସ ଅଧ୍ୟକ୍ଷକଙ୍କୁ ନେଇ ବୈଠକ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜନବସତି ମଧ୍ୟକୁ ହାତୀଙ୍କ ପ୍ରବେଶ ରୋକିବାକୁ ସୌର ତାରବାଡ଼ର ବ୍ୟବସ୍ଥା କରିବା ସହ ହାତୀ ଶିକାର ପାଇଁ ଲୋକମାନେ କରୁଥିବା ଚୋରା ବିଦ୍ୟୁତ ସଂଯୋଗକୁ ଠାବ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୪୦ ଦିନ ମଧ୍ୟରେ କ୍ଷତିପୂରଣ ଦେବା ସହ ହାତୀ ମୃତ୍ୟୁ ରୋକିବାକୁ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ବିକଳ୍ପ ବିଦ୍ୟୁତ୍‍ ଯୋଗାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ହାତୀ ଓ ମଣିଷ ମୃତ୍ୟୁ ରୋକିବା ପାଇଁ ବୈଠକରେ ଏକ ୟୁନିଫର୍ମ ଆକ୍ସନ ପ୍ଲାନ୍‍ ପ୍ରସ୍ତୁତ କରି ୭ ଦିନ ମଧ୍ୟରେ ଜଣାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରାଯାଇଛି।

Get real time updates directly on you device, subscribe now.