NEP-2020 ନୂଆ ଫର୍ମୂଲା: ଆସନ୍ତା ଶିକ୍ଷାବର୍ଷରୁ ଉଠିଯିବ ଦଶମ ବୋର୍ଡ ପରୀକ୍ଷା, ଲାଗୁହେବ ୪ ବର୍ଷିଆ ଅଣ୍ଡର ଗ୍ରାଜୁଏସନ ପ୍ରୋଗ୍ରାମ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅଧିନରେ କେନ୍ଦ୍ର ସରକାର ଦେଶର ଶିକ୍ଷା ବ୍ୟବସ୍ଥାରେ ନୂଆ ନୂଆ ସଂସ୍କାର ଆଣୁଛନ୍ତି । ପୂର୍ବରୁ ଏନେଇ ବିଭିନ୍ନ ରାଜ୍ୟରେ କିଛି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆଗକୁ ମଧ୍ୟ କିଛି ନୂଆ ନିଷ୍ପତ୍ତି ଗ୍ରହଣ କରାଯିବ । ତେବେ ଏହି କ୍ରମରେ ଆସନ୍ତା ବର୍ଷ ଠାରୁ ଦଶମ ଶ୍ରେଣୀ ପିଲାଙ୍କର ବୋର୍ଡ ପରୀକ୍ଷା ହେବ ନାହିଁ ।

ସୂଚନା ମୁତାବକ, ଆସନ୍ତା ବର୍ଷ ଦଶମ ବୋର୍ଡ ପରୀକ୍ଷା ହଟିଯାଇ ତା’ ବଦଳରେ ୪ ବର୍ଷିଆ ଅଣ୍ଡର ଗ୍ରାଜୁଏସନ ପ୍ରୋଗ୍ରାମ ଲାଗୁ ହେବ । ଏହି ନୂଆ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଡିଗ୍ରୀ ହାସଲ କରିପାରିବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମୀ ଏନଇପି ୨୦୨୦ ଅନୁସାରେ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷ ୨୦୨୪ରୁ ଏହି ନୂଆ ନିୟମ ଲାଗୁ ହେବ । ଏଥିସହିତ ରାଜ୍ୟ ସରକାର ଏକ ଶୈକ୍ଷିକ ବୋର୍ଡ ସ୍ଥାପନ କରିବେ ବୋଲି ଜଣାପଡ଼ିଛି ।

ପୂର୍ବରୁ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଆସାମ (ସେବା) ଜରିଆରେ ରାଜ୍ୟରେ ୧୦ମ ପରୀକ୍ଷା ଆୟୋଜିତ ହେଉଥିଲା । ସେହିପରି ଆସାମ ଉଚ୍ଚଶିକ୍ଷା ପରିଷଦ (ଏଏଚଏସଇ) ଦ୍ୱାରା ଦ୍ୱାଦଶ ପରୀକ୍ଷା ଆୟୋଜିତ ହେଉଥିଲା । ଏବେ ଏହି ଦୁଇ ବୋର୍ଡକୁ ପରସ୍ପର ସହ ସମ୍ମିଶ୍ରଣ କରି ଦିଆଯାଇଛି । ତେବେ ୧୦ମ ପିଲାଙ୍କ ପାଇଁ ପାସ ଓ ଫେଲ ବ୍ୟବସ୍ଥା ରହିବ । ମାତ୍ର ବୋର୍ଡ ପରୀକ୍ଷା କେବଳ ଦ୍ୱାଦଶ ଶ୍ରେଣୀ ପାଇଁ ରହିବ । ଏଥିସହିତ ୧୦ମ ଶ୍ରେଣୀରେ ବସୁଥିବା ପିଲାଙ୍କୁ ୧୧ତମ ଶ୍ରେଣୀରେ ବସିବାକୁ ଅନୁମତି ନେବାକୁ ପଡ଼ିବ ନାହିଁ । ରାଜ୍ୟର ସ୍କୁଲରେ ଏବେ ୫ + ୩ + ୩ + ୪ ଫର୍ମୂଲା ଅନୁସାରେ କ୍ଲାସ ହେବ । ପ୍ରଥମ ୫ବର୍ଷ ପ୍ଲେ ଗ୍ରୁପଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ, ପରବର୍ତ୍ତୀ ୩ ବର୍ଷ ୩ୟରୁ ୫ମ, ପରବର୍ତ୍ତୀ ୩ ବର୍ଷ ପାଇଁ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀକୁ ଯୋଡ଼ା ଯାଇଛି । ଅନ୍ତିମ ୪ ବର୍ଷ ୯ମରୁ ଦ୍ୱାଦଶ ପର୍ଯ୍ୟନ୍ତ ରହିଛି ।