୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଡଲାର ଛୁଇଁବ ଭାରତର ଡିଜିଟାଲ ଅର୍ଥନୀତି: ଦେଶର ଅଧା ଲୋକ କରିବେ ଅନଲାଇନରେ ସପିଂ

ନୂଆଦିଲ୍ଲୀ: ଦେଶରେ ୨୦୨୩ ସୁଦ୍ଧା ଡିଜିଟାଲ ଅର୍ଥନୀତି ୫ ଗୁଣା ବଢିବ । ଗୁଗୁଲ୍, ଟେମାସେକ୍ ଏବଂ ବେନ୍ ଆଣ୍ଡ କମ୍ପାନୀ ପକ୍ଷରୁ କରାଯାଇଥିବା ମିଳିତ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହା ୧ ଲକ୍ଷ କୋଟି ଡଲାର ଛୁଇଁବ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଛୋଟ ଛୋଟ ସହର ଏହାରି ମଧ୍ୟରେ ଡିଜିଟାଲ ଉତ୍ପାଦ ଏବଂ ସେବାର ଚାହିଦା ଢେର ମାତ୍ରାରେ ବଢିବ ବୋଲି କୁହାଯାଇଛି ।

ଇଣ୍ଡିଆ ଇ-କୋନୋମି ରିପୋର୍ଟରେ କୁହାଯାଇଛି ଯେ, ଭାରତ ଏହାର ଡିଜିଟାଲ ଦଶନ୍ଧିରେ ଅଛି । ଶେଷ ଦଶନ୍ଧି ସୁଦ୍ଧା ଦେଶର ଇଣ୍ଟରନେଟ ଅର୍ଥନୀତି ଏହାର ମୋଟ ଘରୋଇ ଉତ୍ପାଦର ୧୨ ରୁ ୧୩ ପ୍ରତିଶତକୁ ବଢିବ । ଏହା ବର୍ତ୍ତମାନ ୪ ରୁ ୫ ପ୍ରତିଶତ ରହିଛି । ଭାରତରେ ବର୍ତ୍ତମାନ ଇଣ୍ଟରନେଟ ବ୍ୟବହାର ବହୁ ମାତ୍ରାରେ ବଢିଛି । ତେବେ ଭାରତ ଏ କ୍ଷେତ୍ରରେ ଦ୍ରୃତଗତିରେ ଆଗକୁ ବଢୁଛି । ଛୋଟ ଛୋଟ ସହରରେ ମଧ୍ୟ ଏହାର ବ୍ୟବହାର ବଡ଼ ମାତ୍ରାରେ ବୃଦ୍ଧି ପାଉଛି । ବଡ଼ ବଡ଼ ବ୍ୟବସାୟ ଏବଂ ଏମଏସଏସଇ କ୍ଷେତ୍ରର ଡିଜିଟାଲିକରଣ ସହ ଭାରତର ଜାତୀୟ ଡିଜିଟାଲ ଭିତ୍ତିଭୂମିର ସଫଳତା ଦେଶର ଡିଜିଟାଲ ଅର୍ଥନୀତିକୁ ଦ୍ରୁତ ବେଗରେ ଆଗେଇ ନେଉଛି ବୋଲି ରିପୋର୍ଟରେ କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, ବିଜନେସ-ଟୁ-କଞ୍ଜ୍ୟୁମର, ଇ-କମର୍ସ ଡିଜିଟାଲ ସେବାର ନେତୃତ୍ୱ ନେବ । ୨୦୩୦ ସୁଦ୍ଧା ଏ କ୍ଷେତ୍ର ୫ ରୁ ୬ ଗୁଣା ବଢି ୩୫,୦୦୦ ରୁ ୩୮,୦୦୦ କୋଟି ଡଲାର ଛୁଇଁବ । ଏହି ଅବଧିରେ ଅନଲାଇନ କ୍ରେତାଙ୍କ ସଂଖ୍ୟା ଦୁଇଗୁଣା ବଢି ୫୦ କୋଟିରୁ ୫୫ କୋଟି ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।