fbpx

ଡିଏନଏକୁ ନଷ୍ଟ କରିଦେବ କୃତ୍ରିମ ମିଠା! ନୂଆ ରିସର୍ଚ୍ଚରୁ ଖୁଲାସା

ସାଧାରଣତଃ ମଧୁମେହ ରୋଗୀମାନେ ଚା’ ଓ ଅନ୍ୟ ଖାଦ୍ୟ ଗୁଡ଼ିକରେ ଶର୍କରାଯୁକ୍ତ ଚିନି ପରିବର୍ତ୍ତେ କୃତ୍ରିମ ସ୍ୱିଟନର ବ୍ୟବହାର କରିଥାଆନ୍ତି । କିନ୍ତୁ ଏହି କୃତ୍ରିମମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି । ନର୍ଥ କ୍ୟାରୋଲିନା ଷ୍ଟେଟ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ନୂଆ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ସର୍ବାଧିକ ଆଦୃତ ଆର୍ଟିଫିସିଆଲ ସ୍ୱିଟନର ବ୍ୟବହାରକାରୀଙ୍କ ଡିଏନଏକୁ ନଷ୍ଟ କରି କର୍କଟ ରୋଗର କାରଣ ସାଜିପାରେ ।

ସ୍ପେ୍ଲଣ୍ଡା ନାମରେ ବଜାରରେ ଉପଲବ୍ଧ କ୍ୟାଲୋରି ଶୂନ୍ୟ ସ୍ୱିଟ୍ନର ଚିନିଠାରୁ ୬୦୦ ଗୁଣ ଅଧିକ ମିଠା । ଏହାକୁ ପାଉଁରୁଟି, କେକ୍, ବେଭେରେଜ୍, ଚିୱିଙ୍ଗ୍ ଗମ୍, ଜିଲାଟିନ୍ସ ଓ ଫ୍ରୋଜେନ୍ ଡେଏରି ସାମଗ୍ରୀରେ ବ୍ୟବହାର କରାଯାଏ । ଏଥିରେ ଥିବା ରାସାୟନିକ ପଦାର୍ଥ ସୁକ୍ରାଲୋଜକୁ ଖାଦ୍ୟ ଓ ପାନୀୟ ସାମଗ୍ରୀ ସମେତ ସାରା ବିଶ୍ୱରେ ଔଷଧ ପ୍ରସ୍ତୁତିରେ ମଧ୍ୟ ଚିନିର ବିକଳ୍ପ ଭାବେ ଉପଯୋଗ କରାଯାଇଥାଏ ।

କେବଳ ଆମେରିକାରେ ଏହାକୁ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୫୦ ନିୟୁତ । ମାନବ ଶରୀରକୁ ସୁକ୍ରାଲୋଜ୍ ପ୍ରବେଶ କଲେ ସୁକ୍ରାଲୋଜ୍-୬ ରୂପେ ଯୌଗିକ ବିଘଟନ ହୋଇଥାଏ, ଫଳରେ ଖାଦ୍ୟନଳୀ ନିମ୍ନଭାଗର ଭିତର ପରସ୍ତ ନଷ୍ଟ ହୋଇଥାଏ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ସୁସାନ୍ ସ୍କିଫ୍ମ୍ୟାନ୍ କହିଛନ୍ତି । ସୁକ୍ରାଲୋଜ୍ ଆନ୍ତଃ ସ୍ୱାସ୍ଥ୍ୟ ପ୍ରତି ନକାରାମତ୍କ ପ୍ରଭାବ ପକାଇଥାଏ ବୋଲି ପୂର୍ବ ଅଧ୍ୟୟନଗୁଡ଼ିକରେ ଜଣାପଡ଼ିଥିଲା । ତେଣୁ ଏହା ଉପରେ ଅଧିକ ତଥ୍ୟ ହାସଲ ପାଇଁ ଆମେ ଉଦ୍ୟମ କରିଥିଲୁ ।

ପରୀକ୍ଷାନିରୀକ୍ଷାରୁ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା । ସୁକ୍ରାଲୋଜ୍-୬ର ଦହନଶୀଳ ପ୍ରକ୍ରିୟା ମଣିଷଙ୍କ ଗୁଣସୂତ୍ରକୁ ନଷ୍ଟ କରିବା ସହ କ୍ୟାନ୍ସରର କାରକ ପାଲଟିଥାଏ ବୋଲି ପ୍ରଫେସର ସୁସାନ୍ କହିଛନ୍ତି । ଜର୍ନାଲ ଅଫ୍ ଟେକ୍ସିକୋଲୋଜି ଆଣ୍ଡ୍ ଏନଭାଇରୋନମେଣ୍ଟାଲ ହେଲ୍ଥରେ ଏହି ଅଧ୍ୟୟନ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.