fbpx

ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟାର ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ଓଡ଼ିଶା ହେଉଛି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ଗତବର୍ଷ ୨୪ଟି ଜିଲ୍ଲା ପ୍ରବଳ ବର୍ଷା ଏବଂ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ରାଜ୍ୟ ସରକାର ସଫଳତାର ସହିତ ମୁକାବିଲା କରିଥିଲେ । ସରକାରଙ୍କର ସଠିକ୍‍ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଯୋଗୁଁ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ସମ୍ମାନ ପାଇଛି ।

ବାହାନଗା ଟ୍ରେନ୍‍ ଦୁର୍ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ତ୍ୱରିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିଛି । ଦୁର୍ଘଟଣାସ୍ଥଳରୁ ଗୁରୁତର ଆହତଙ୍କୁ ସ୍ୱତନ୍ତ୍ର ଗ୍ରୀନ୍‍ କରିଡର ମଧ୍ୟରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ପଠାଯାଇ ଉପଯୁକ୍ତ ଚିକିତ୍ସା କରାଯାଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଆପାତକାଳୀନ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି । ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ସମ୍ବନ୍ଧୀୟ ସୂଚନା ରାଜ୍ୟ ସରକାର ସତର୍କ ପୋର୍ଟାଲ ଏବଂ ମୋବାଇଲ୍‍ ଆପ୍‍ ଜରିଆରେ ଦେଉଛନ୍ତି । ଲଗାଣ ବର୍ଷା ଏବଂ ବନ୍ୟା ଭଳି ପରିସ୍ଥିତି ଆସିଲେ ଲୋକମାନଙ୍କର ଯେମିତି ଖାଦ୍ୟର ଅଭାବ ନ ହେବ ସେଥିପାଇଁ ଖାଦ୍ୟ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସମୟରେ ପଶୁ ଓ ଅନ୍ୟଜୀବଜନ୍ତୁଙ୍କ ସୁରକ୍ଷା ଲାଗି ସରକାର ବିଭିନ୍ନ ସ୍ତରରେ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.