ନୂଆଦିଲ୍ଲୀ : ଭାରତୀୟଙ୍କର ରୋଷେଇରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଟମାଟୋ । ଏହା ବ୍ୟତୀତ ତରକାରୀ, ସାଲାଟ ଆଦୌ ଭଲ ଲାଗେନା । ବର୍ତ୍ତମାନ ଭାରତରେ ଟମାଟୋର ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ୍ କିଲୋ ପ୍ରତି ୧୦୦-୧୨୦ ଟଙ୍କା ଉପରେ ହୋଇଗଲାଣି । ଏମିତିରେ ଯେଉଁ ଲୋକ ଟମାଟୋ ଖାଇବାକୁ ଅଧିକ ପସନ୍ଦ କରନ୍ତି ଏବଂ ଗରିବ ଶ୍ରେଣୀର ଲୋକଙ୍କ ପକେଟକୁ ଏହାର ଦର ଭାରି ପଡୁଛି । ଯଦି ଆପଣ ଟମାଟୋ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, କିନ୍ତୁ ଦରରେ ବୃଦ୍ଧି ଯୋଗୁଁ ତାକୁ ଖାଇପାରୁ ନାହାଁନ୍ତି । ଏନେଇ ପ୍ରସିଦ୍ଧ ଶେଫ ସଂଜୀବ କପୂର ଟମାଟୋର ବଦଳରେ ଅନ୍ୟ ଜିନିଷ ବ୍ୟବହାର କରିବାକୁ କହିଛନ୍ତି । ଯାହାକୁ ଆପଣ ଟମାଟୋ ସ୍ଥାନରେ ଖାଦ୍ୟ ବନେଇବାରେ ବ୍ୟବହାର କରିପାରିବେ ।
ଜାଣିନିଅନ୍ତୁ କେଉଁ ଜିନିଷ ଟମାଟୋ ବଦଳରେ ବ୍ୟବହାର କରିପାରିବେ :
କଖାରୁ : ଅଧିକାଂଶ ଲୋକ କଖାରୁ ଖାଇବାକୁପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ଭିଟାମିନ ଏବଂ ମିନେରାଲ୍ସରେ ଭରପୁର ହୋଇଥାଏ । ବିଟା କେରୋଟିନ ବ୍ୟତୀତ କଖାରୁରେ ଭିଟାମିନ ସି, ଭିଟାମିନ ଇ, ଆଇରନ ଏବଂ ଫୋଲେଟ ମଧ୍ୟ ମିଳିଥାଏ । ଏହି ସବୁଜିନିଷ ଆପଣଙ୍କ ଇମ୍ୟୁନିଟିକୁ ମଜବୁତ କରିଥାଏ । ଟମାଟୋ ବଦଳରେ କଖାରୁକୁ ବ୍ୟବହାର କରିବା ସବୁଠାରୁ ଭଳ ବିକଳ୍ପ ଅଟେ । କଖାରୁକୁ ଛୋଟ ଛୋଟ ପୀସ କାଟି ତେଲରେ ଭାଜି ନିଅନ୍ତୁ ଏବଂ ଟମାଟ ଭଳି ତୀକ୍ଷ୍ଣତା ଆଣିବା ପାଇଁ ସେଥିରେ ଭିନେଗାର ଏବଂ ଲାଲ ରଙ୍ଗ ଆଣିବା ପାଇଁ ସୁଖିଲା ଲଙ୍କା ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଏମିତି କରିବା ଦ୍ୱାରା ଟମାଟୋ ଭଳି ସ୍ୱାଦ ପାଇ ପାରିବେ ।
ତେନ୍ତୁଳି : ଖାଦ୍ୟରେ ଟମାଟୋ ଭଳି ଖଟା ଅଂଶ ଆଣିବା ପାଇଁ ତେନ୍ତୁଳିର ବ୍ୟବହାର କରିପାରିବେ । ତେନ୍ତୁଳି ଏମିତି ଏକ ଖଟାଳିଆ ଜିନିଷ ଯାହା ଟମାଟୋର ହାଲୁକା ଖଟାର ସ୍ୱାଦ ରିପ୍ଲେସ କରି ପାରିବ । ଟମାଟୋ ବଦଳରେ ତେନ୍ତୁଳିର ଦାନା ପକାନ୍ତୁ, ଏହା ଦ୍ୱାରା ଆପଣଙ୍କୁ ଟମାଟୋ ଭଳି ସ୍ୱାଦ ମିଳିବ ।
ଦହି : ପ୍ରତ୍ୟେକ ଦିନ ଦହି ଖାଇବା ଦ୍ୱାରା ଫାଇଦା ଏହା ଯେ, ଦହି କୋଲଷ୍ଟ୍ରଲ ପରିମାଣକୁ କମ କରିଥାଏ । ଉଚ୍ଚ ରକ୍ତଚାପ ଏବଂ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଟମାଟୋ ବଦଳରେ ଯଦି ଆପଣ ସେଥିରେ ଦହି ପକାଉଛନ୍ତି, ତେବେ ଆପଣ ଟମାଟୋର କମି ଅନୁଭବ କରି ପାରିବେ ନାହିଁ । ଆପଣ ଦହିକୁ କୌଣସି ତରକାରୀରେ ପକାଇବା ପୂର୍ବରୁ ତାକୁ ଭଲ ଭାବରେ ଫେଣ୍ଟି ଦିଅନ୍ତୁ ଏବଂ ତରକାରୀ ତିଆରି ହେବା ପରେ ଶେଷରେ ତାକୁ ପକାଇ ଦିଅନ୍ତୁ । ଏହା କରିବା ଦ୍ୱାରା ଦହି ଫାଟିବାର ସମ୍ଭାବନା କମ ରହେ ।