fbpx

‘ଆପଣଙ୍କ ନାଁରେ ଆସିଛି ମୂଲ୍ୟବାନ ସାମଗ୍ରୀ, ପେମେଣ୍ଟ କଲେ ଆପଣଙ୍କ ଠିକଣାରେ ଜିନିଷ ପହଞ୍ଚିଯିବ’: ଏଭଳି ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ବିଭିନ୍ନ ଉପାୟରେ ସାଇବର ଠକମାନେ ଲୋକଙ୍କୁ ଚୁନା ଲଗାଉଛନ୍ତି । ତେବେ ଏହା ମଧ୍ୟରେ ସାଇବର ଠକମାନେ ଠକାମିର ଏକ ନୂଆ ତରିକା ଆପଣାଇଛନ୍ତି । ପାର୍ସଲ ନାଁରେ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି । ତେଣୁ କୌଣସି କୋରିୟର କମ୍ପାନୀର କଷ୍ଟମର କେୟାର ନାଁ କହି ଟଙ୍କା ମାଗିଲେ ଆପଣମାନେ ଦିଅନ୍ତୁ ନାହିଁ । ଏନେଇ ସତର୍କ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରି ଜନସାଧାରଣଙ୍କୁ ସତର୍କ କରାଯାଇଛି ।

ଅନେକ ସମୟରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଇଡି, ଏନସିବି ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି । ଏଭଳି ସ୍ଥିତିରେ ଆପଣମାନେ ଉକ୍ତ ବ୍ୟକ୍ତିଙ୍କ ବିଷୟରେ ସତ୍ୟାସତ୍ୟ ଯାଞ୍ଚ କରନ୍ତୁ । ଲୋକଙ୍କୁ ଭୟଭୀତ କରାଇ ସେମାନଙ୍କ ଠାରୁ ଟଙ୍କା ଲୁଟିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ । ଆପଣଙ୍କ ପାଖକୁ ଏଭଳି ଫୋନ୍ ଆସିଲେ ସଙ୍ଗେସଙ୍ଗେ ସାଇବର କ୍ରାଇମ୍ ଥାନା କିମ୍ବା ପୋଲିସ ଷ୍ଟେସନ ସହ ଯୋଗାଯୋଗ କରନ୍ତୁ ।

‘ଆପଣଙ୍କ ନାଁରେ ଏକ ପାର୍ସଲ ଆସିଛି, ପାର୍ସଲରେ ମୂଲ୍ୟବାନ ଜିନିଷ ଅଛି । ତେଣୁ ଆପଣ ପେମେଣ୍ଟ କରିଦେଲେ ଆମେ ଆପଣଙ୍କ ଠିକଣା ଉକ୍ତ ଜିନିଷକୁ ପହଞ୍ଚାଇ ଦେବୁ ।’ ଠକମାନେ ଏଭଳି ଢଙ୍ଗରେ ଆପଣଙ୍କୁ ଫୋନ୍ କରିଥାନ୍ତି । ଏଭଳି ଫୋନ୍ ଆସିଲେ ବିନା ଡରରେ ପୋଲିସ ସହ ଯୋଗାଯୋଗ କରନ୍ତୁ । ଏପରିକି ଠକମାନେ କମ୍ ସୁଧରେ ଲୋନ ନେବା ଆଳରେ ଲୋକଙ୍କଠାରୁ ଓଟିପି ନେଇ ଟଙ୍କା ହଡ଼ପ କରୁଛନ୍ତି । ତେଣୁ ଏଭଳି ଘଟଣା ପ୍ରତି ସତର୍କ ରହିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.