fbpx

ପୁରୀ ସ୍ୱର୍ଗଦ୍ୱାର ହରିଶ୍ଚନ୍ଦ୍ର ସହାୟତା ରାଶି ବଢ଼ିଲା: ଖୁବଶୀଘ୍ର ଲଞ୍ଚ ହେବ ସ୍ୱର୍ଗଦ୍ୱାର ଆପ୍ ଓ ୱେବସାଇଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆଣୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ଅର୍ଥ ବାବଦରେ ଲୋକଙ୍କୁ ୩ ହଜାର ଟଙ୍କା ମିଳୁଥିଲା । ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ଏହି ରାଶି ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଜୁଲାଇ ମାସ ୩୧ ତାରିଖ ମଧ୍ୟରାତ୍ରରୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ପାଉଥିବା ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିଲେ । ମାତ୍ର ଏବେ ତାହାକୁ ଏକ କୁଇଣ୍ଟାଲ ୮୦ କେଜି କରାଯାଇଛି । ଏଥିସହିତ ଘିଅର ପରିମାଣକୁ ୨୦୦ ଗ୍ରାମରୁ ୩୦୦ ଗ୍ରାମକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଶବ ସଂସ୍କାର କରିବାକୁ କାଠ ବୋହିବା ପାଇଁ କେବଳ ଟ୍ରଲିର ବ୍ୟବସ୍ଥା ଥିବାବେଳେ ଏବେ କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।

ଏହାଛଡ଼ା ଶବ ସଂସ୍କାର କରୁଥିବା ସେବକମାନଙ୍କୁ ବୀମାଭୁକ୍ତ କରାଯିବା ସହିତ ସେମାନଙ୍କୁ ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟ ଜାରି ରହିବା ସହ ବ୍ୟବସ୍ଥାରେ ସୁଧାର ନେଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଛି । ଏଥିସହ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଯଦି କେହି ତାଙ୍କର ରସିଦ ହଜାଇଦେବେ, ତେବେ ସେମାନେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ ।

Get real time updates directly on you device, subscribe now.