ସମବାୟ ସମିତି ମନଇଚ୍ଛା ବିକ୍ରି କରିପାରିବେନି ସମ୍ପତ୍ତି : ସରକାର ଲଗାଇଲେ କଟକଣା

ଭୁବନେଶ୍ୱର : ପୂର୍ବ ଭଳି ମନମାନୀ କରିପାରିବେନି ସମବାୟ ସମିତି । ନିଜସ୍ୱ ଇଚ୍ଛାରେ ଚାହିଁଲେ ବି ଆଉ ସ୍ଥାବର ସମ୍ପତ୍ତିକୁ ବିକ୍ରି କରିପାରିବେ ନାହିଁ । ବର୍ତ୍ତମାନ ଏହା ଉପରେ ସରକାର କଟକଣା ଲଗାଇ ଦେଇଛନ୍ତି । ଏନେଇ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଓଡ଼ିଶାର ସମବାୟ ସମିତି ଆଇନ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଏବଂ ଅସ୍ଥାବର ଜମିକୁ ବିକ୍ରି କରିବାର କ୍ଷମତା ଦିଆଯାଇଥିଲା । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦଶ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ଦିଆଯାଇଥିବା କ୍ଷମତା ଅନୁଯାୟୀ ସ୍ଥାବର ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜରେ ଦିଆଯାଇ ପାରିବ । କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଦେଖି ପାଇବାକୁ ପାଇଲେ ଯେ, ପ୍ରାୟ ସମବାୟ ସମିତିର ପରିଚାଳନା ମଣ୍ଡଳୀ ସମିତି ସ୍ୱାର୍ଥକୁ ଅଣଦେଖା କରି ବେଆଇନ ଭାବେ ସମିତିର ସମ୍ପତ୍ତିକୁ ମନଇଚ୍ଛା ବିକ୍ରି ଏବଂ ଲିଜ ଦେବାକୁ ଲାଗିଲେ । ଏଭଳି କାର୍ଯ୍ୟକୁ ଅଟକାଇବା ପାଇଁ ସରକାର ଏହି ପଦ୍ଧିତି ଉପରେ ଅଙ୍କୁଶ ଲଗାଇଲେ ।

ପରବର୍ତ୍ତୀ ସମୟରେ ସମବାୟ ଆଇନର ଥିବା ଧାରା ୧୨୩-କ କୁ ପ୍ରୟୋଗ କରି ବର୍ତ୍ତମାନ ସମବାୟ ସମିତିଗୁଡିକରେ ଆଉ ଆଗଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜରେ ଦିଆ ଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ଯଦି ସେ ସ୍ଥାବର ସମ୍ପତିକୁ ବିକ୍ରି କିମ୍ବା ଲିଜରେ ଦବାକୁ ଚାହୁଁଛନ୍ତି ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟି ଠାରୁ ଅନୁମତି ଆଣିବାକୁ ହେବ । କମିଟି ନିର୍ଦ୍ଦେଶ ନାମା ଜାରି କରିବା ପରେ ସମିତି ସ୍ଥାବର ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜରେ ଦେଇପାରିବେ ।