fbpx

ହର୍ ଘର୍ ତ୍ରିରଙ୍ଗା ; ପ୍ରଧାନମନ୍ତ୍ରୀ ବଦଳାଇଲେ ସୋସିଆଲ ମିଡିଆ ଆକାଉଣ୍ଟ ଡିପି, ଲୋକଙ୍କୁ ବି କଲେ ନିବେଦନ

ନୂଆଦିଲ୍ଲୀ: ସାରା ଦେଶରେ ୧୫ ଅଗଷ୍ଟକୁ ନେଇ ଜୋରଦାର ପ୍ରସ୍ତୁତି ଚାଲୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର୍ ଘର୍ ତ୍ରିରଙ୍ଗାର  ନିବେଦନ ସମସ୍ତ ଦେଶବାସୀଙ୍କୁ କରିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପ୍ରୋଫାଇଲ ଫଟୋ ବଦଳାଇବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ହର ଘର ତ୍ରିରଙ୍ଗା ଆନ୍ଦୋଳନର ଭାବନା ସହିତ ଆସନ୍ତୁ ଆମେ ସମସ୍ତେ ନିଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିପି ବଦଳାଇ ଦେବା । ଏହି ଅନନ୍ୟ ପ୍ରୟାସକୁ ସମସ୍ତେ ସମର୍ଥନ ଦେଇ ଆମ ପ୍ରିୟ ଦେଶ ଓ ଆମ ମଧ୍ୟରେ ଥିବା ବନ୍ଧନକୁ ଚାଲନ୍ତୁ ସୁଦୃଢ କରିବା ।

ସଂସ୍କୃତି ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ହର ଘର ତ୍ରିରଙ୍ଗା ଅଭିଯାନ ଜରିଆରେ ଡାକଘରେ ବିକ୍ରୀ ଲାଗି ପ୍ରାୟ ୨.୫ କୋଟି ରାଷ୍ଟ୍ରୀୟ ଧ୍ୱଜ ପଠାଯାଇଛି । ଏହି ପ୍ରୟାସରେ ଜନଭାଗିଦାରୀ ବଢିବା ସହିତ ଏହା ଏବେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ଏହି ଅଭିଯାନକୁ ନେଇ ଏବେ ଦେଶରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛଇ । ଏହି ଅଭିଯାନ ଗତ ବର୍ଷ ପ୍ରଥମ ଥର ଲାଗି ଆରମ୍ଭ ହୋଇଥିଲା ଓ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ସେ କହିଛନ୍ତି କପଡା ମନ୍ତ୍ରଣାଳୟ ମାଧ୍ୟମରେ ଆମେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତ୍ରିରଙ୍ଗା ପଠାଇ ଦେଇଛୁ । ଚଳିତ ବର୍ଷ ଡାକଘରକୁ ପ୍ରାୟ ୨.୫ କୋଟି ତ୍ରିରଙ୍ଗା ପଠାଇ ଦିଆଯାଇଛି । ଚଳିତ ବର୍ଷ ଏହା ୧ କୋଟି ଥିଲା । ସଂସ୍କୃତି ମନ୍ତ୍ରଣାଳୟ ଏକ ବୟାନରେ କହିଛି ଏହି ପ୍ରୟାସ ଜରିଆରେ ଡାକ ବିଭାଗ ଜନତାଙ୍କୁ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ରାଷ୍ଟ୍ରୀୟ ଧ୍ୱଜ ବିକ୍ରୀ କରିବା ଓ ବଣ୍ଟନ କରିବାର ଦାୟିତ୍ୱ ଅର୍ପଣ କରିଛି ।

ଏହି ଅବସରରେ ଜାମ୍ମୁ କାଶ୍ମୀରର ପୁଲୱାମାରେ ଶନିବାର “ମେରୀ ମାଟି, ମେରା ଦେଶ’ ତ୍ରିରଙ୍ଗା ର୍ୟାଲିରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଭାଗ ନେଇଥିଲେ । ପୁଲଓ୍ବାମାର ରାଜକୀୟ ମହିଳା ଡିଗ୍ରୀ କଲେଜରୁ ବାହାରିଥିବା ବିଶାଳ ତ୍ରିରଙ୍ଗା ର୍ୟାଲିରେ ଦେଶଭକ୍ତି ଓ ରାଷ୍ଟ୍ରବାଦର ଯୋଶ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.