fbpx

ଘରର ଛାତ ଉପରେ ଏପରି ଭାବରେ ଲଗାଇଦେଲେ ଟମାଟୋ, ଏବେ ଅମଳ କରିଛନ୍ତି ଅଢେଇ କ୍ୱିଣ୍ଟାଲ

ଲକ୍ଷ୍ନୌ: ଏଇ ମାତ୍ର ଦିନେ କି ଦୁଇଦିନ ହେବ ଟମାଟୋ ଦର ହ୍ରାସ ପାଇଛି । କିନ୍ତୁ ଏହା ପୂର୍ବରୁ ଟମାଟୋ ଦର ଆକାଶ ଛୁଆଁ ଥିଲା । ବହୁ ରାଜ୍ୟରେ ଟମାଟୋ କିଲୋ ୩୦୦ଟଙ୍କା ଛୁଇଁଥିଲା । ଏହାରି ମଧ୍ୟରେ ଟମାଟୋକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଅଜବ ଅଜବ ଖବରମାନ ଆସିବାରେ ଲାଗିଥିଲା । ଏହି କ୍ରମରେ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ନିଜ ଛାତରେ ଟମାଟୋ ଲଗାଇ ପ୍ରାୟ ଅଢେଇ କ୍ୱିଣ୍ଟାଲ ଟମାଟୋ ଅମଳ କରିଛନ୍ତି । ଏବେ ସେ ଏହି ଟମାଟୋ ନିଜେ ବ୍ୟବହାର କରିବା ସହ ପଡୋଶୀଙ୍କ ମଧ୍ୟରେ ବି ବାଣ୍ଟୁଛନ୍ତି ।

ଲକ୍ଷ୍ନୌର ଗୋମତୀ ନଗରରେ ରହୁଥିବା ଭିକେ ପାଣ୍ଡେ ନାମକ ଜଣେ ଯୁବକ ନିଜ ଘରର ଛାତ ଉପରେ ଟମାଟୋ ଫସଲ ଅମଳ କରିଛନ୍ତି । ସେ କହିଛନ୍ତି ପିଲାଦିନେ ତାଙ୍କର ଗାର୍ଡେନିଂ ପ୍ରତି ରୁଚି ଥିଲା । କିନ୍ତୁ ଘରେ କମ୍ ଯାଗା ଥିବାରୁ ସେ ଘରର ଛାତରେ ଓ ବାଲକୋନିରେ ମାଟି ଭର୍ତ୍ତି କୁଣ୍ଡିଆ ରଖି ସବୁଥିରେ ଟମାଟୋ ମଞ୍ଜି ବିଞ୍ଚି ଦେଇଥିଲେ । ଯେତେବେଳେ ସେ ଜାଣିଲେ ଟମାଟୋ ଦର ବଢିବାକୁ ଯାଉଛି ସେତେବେଳେ ସେ ମାତ୍ର ୬୦୦ ବର୍ଗଫୁଟ ଅଞ୍ଚଳରେ ୫୦ରୁ ୬୦ ଟମାଟୋ ଗଛ ଲଗାଇବା ଆରମ୍ଭ କଲେ ।

ତେବେ ଟମାଟୋ ଗଛରୁ ତାଙ୍କୁ ବହୁ ଫାଇଦା ମିଳିବା ପରେ ତାଙ୍କର ଜଣେ ପଡୋଶୀ ତାଙ୍କୁ ନିଜର ୬୦୦ ବର୍ଗଫୁଟ ଯାଗା ଟମାଟୋ ଚାଷ ଲାଗି ଦେଇଥିଲେ । ସେଠାରେ ସେ ଟମାଟୋ ବ୍ୟତିତ ଲେମ୍ବୁ, ମୌସୁମୀ ଓ ବିଭିନ୍ନ ପ୍ରକାର ଫସଲ ଲଗାଇଥିଲେ । ମାତ୍ର କିଛି ମାସ ମଧ୍ୟରେ ସେ ଅଢେଇ କ୍ୱିଣ୍ଟାଲ ଟମାଟୋ ଅମଳ କରିଥିଲେ । ଏବେ ତାଙ୍କର ଏହି କାର୍ଯ୍ୟ ଲାଗି ସେ ନିଜ ଅଞ୍ଚଳରେ ପୁରା ଲୋକପ୍ରିୟ ହେବା ସହିତ ଅନ୍ୟମାନେ ତାଙ୍କୁ ଉଦାହରଣ ଭାବରେ ନେଇ ଛାତ ଉପରେ ବିଭିନ୍ନ ପନିପରିବା ଅମଳ କରିବା ଆରମ୍ଭ କଲେଣି ।

Get real time updates directly on you device, subscribe now.