fbpx

Big Breaking ନିର୍ମାଣ ସମୟରେ ଭୁଷୁଡ଼ିଗଲା ରେଳ ଓଭରବ୍ରିଜ: ଚାପି ହୋଇ ୧୭ ଶ୍ରମିକଙ୍କ ମୃତ୍ୟୁ, ଚାଲିଛି ଉଦ୍ଧାର କାର୍ଯ୍ୟ

ମିଜୋରାମ: ସାରା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ପ୍ରତିଦିନ କେଉଁଠି ନା କେଉଁଠି କିଛି ଅଘଟଣ ଘଟିବାରେ ଲାଗିଛି । ଏବେ ମିଳିଥିବା ଖବର ଅନୁସାରେ, ମିଜୋରାମରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୧୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ପୋଲର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ହଠାତ୍ ଭୁଶୁଡ଼ି ପଡ଼ିଥିଲା । ତେବେ ଏହା ତଳେ ୧୭ ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ମିଜୋରାମରେ ଘଟିଯାଇଛି ଏକ ବିରାଟ ଅଘଟଣ । ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ଏକା ସାଙ୍ଗରେ ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମିଜୋରାମର ରାଜଧାନୀ ଆଇଜଲ ନିକଟ ସାଇରଙ୍ଗରେ ଏହି ପୋଲ ଭୁଶୁଡ଼ି ପଡ଼ିଥିବା ବେଳେ ୧୭ ଜଣ ଶ୍ରମିକ ଏହି ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଛନ୍ତି । ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ୧୭ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଅନେକ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ ଟିମ୍ । ଏ ନେଇ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୂଚନା ଦେଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି ।

ଦୁଇଟି ପିଲାର ମଧ୍ୟରେ ଥିବା ଗାଡର ଖସିଯିବାରୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଜାଣିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ, ପୋଲ ଭୁଶୁଡ଼ିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ଘଟଣାସ୍ଥଳରେ କାମ କରୁଥିଲେ । ତେବେ ଏମାନଙ୍କ ମଧ୍ୟରୁ ୧୭ ଜଣ ପ୍ରାଣ ହରାଇଥିବା ବେଳେ ଆହୁରି କିଛି ଲୋକ ପୋଲ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଏହି ଅଘଟଣରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପାଇଁ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯିବ । ଏହା ବ୍ୟତୀତ ଆହତମାନଭ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବେ ସରକାର ।

Get real time updates directly on you device, subscribe now.