fbpx

ଏକ ଦେଶ- ଏକ ନିର୍ବାଚନ’ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

ନୂଆଦିଲ୍ଲି: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ନରେନ୍ଦ୍ର ମୋଦୀ ସରକାର ‘ଏକ ଦେଶ- ଏକ ନିର୍ବାଚନ’ ବିଲ୍ ଆଗତ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ଏହାରି ମଧ୍ୟରେ ଖବର ଆସିଛି ଯେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି ଏହି ସାମ୍ଭାବ୍ୟ ବିଲ୍‌ର ସମସ୍ତ ଦିଗ ଉପରେ ବିଚାର କରି ଲୋକମାନଙ୍କ ମତାମତ ନେବେ।

ଏହା ପରେ ହିଁ ନିଷ୍ପତ୍ତି ନିଆଯିବ ଯେ ଆଗାମୀ ଦିନରେ ସରକାର ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତ ହେବେ କି ନାହିଁ । ତେବେ ଏହି କମିଟିରେ ଅନ୍ୟ କେଉଁମାନେ ରହିଛନ୍ତି ସେ ନେଇ କୋଣସି ସୂଚନା ମିଳିପାରି ନାହିଁ । ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲେ ଏହି ବିଷୟରେ ଅଧିକ ସୂଚନା ମିଳିବ ।

‘ଏକ ଦେଶ- ଏକ ନିର୍ବାଚନ’ ସିଧାସଳଖ ଅର୍ଥ ହେଉଛି ସାରା ଦେଶରେ ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା। ଏହା ଲାଗୁ ହେଲେ ବାରମ୍ବାର ନିର୍ବାଚନ ପାଇଁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବଞ୍ଚି ପାରିବ ବୋଲି କୁହାଯାଉଛି । ୧୯୫୧-୫୨ ଲୋକସଭା ନିର୍ବାଚନରେ ୧୧ କୋଟି ଖର୍ଚ୍ଚ ହୋଇଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ୬୦ କୋଟି ଖର୍ଚ୍ଚ ହୋଇଥିଲା । ଭାରତ ପରି ବିଶାଳ ଦେଶରେ ବାରମ୍ବାର ନିର୍ବାଚନରୁ ମୁକ୍ତି ମିଳି ପାରିବ। ସରକାରଙ୍କ ପାଖରେ ଭୋଟରଙ୍କର ଏକ ଲିଷ୍ଟ ରହିବ, ଫଳରେ ଦେଶର ବିକାଶ କାର୍ଯ୍ୟରେ ବାଧାପ୍ରାପ୍ତ ହେବ ନାହିଁ । ବାରମ୍ବାର ନିର୍ବାଚନ ହେବା ଫଳରେ ନିର୍ବାଚନୀ ଆଚରଣ ସଂହିତା ଲାଗୁ ହେଉଛି। ଫଳରେ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରୁନାହାନ୍ତି। ଫଳରେ ଦେଶର ବିକାଶ ବାଧାପ୍ରାପ୍ତ ହେଉଛି । କଳାଧନ ଓ ଭ୍ରଷ୍ଟାଚାର ଉପରେ ରୋକ ଲାଗି ପାରିବ।

Get real time updates directly on you device, subscribe now.