(Video) ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି…

ଓଡିଶା ଭାସ୍କର; ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ଦେଖିବାକୁ ମିଳିଛି । ରାଜଧାନୀରେ ସନ୍ଧ୍ୟା ୭ଟାରୁ ବର୍ଷା ସହ ଘଡଘଡି ଆରମ୍ଭ ହୋଇଥିଲା । ବର୍ତ୍ତମାନ ବର୍ଷା କମିଥିବା ବେଳେ ଏବେ ବି ଘଡଘଡି ଜାରି ରହିଛି । ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବରୁ ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଥିଲା ।

ଏହା ସହ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ସତର୍କ ସୂଚନା ଜାରି କରିଛି ।

ସୂଚନା ଥାଉକି, ସଂପ୍ରତି ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ସେପ୍ଟେମ୍ବର ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି ।

ଫଳ ସ୍ୱରୂପ ଆଗାମୀ ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଥିବା ବେଳେ ୪ ତାରିଖ ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ବୋଲି ଆଜି (ଶୁକ୍ରବାର) ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର । ସେହିପରି ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୨୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହଥିବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।