ପୁଣି ଏକ ଲଜ୍ୟା ଜନକ ଘଟଣା; ଗର୍ଭବତୀ ବୋହୂକୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ ଶାଶୂଘର ଲୋକେ

ଓଡିଶା ଭାସ୍କର; କିଛି ଦିନ ହେବ ମଣିପୁର ଲଜ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ଏବେ ପୁଣି ରାଜସ୍ତାନରେ ଦେଖା ଦେଇଛି ଏକ ଲଜ୍ୟାଜନକ ଘଟଣା । ଜଣେ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଶାଶୂଘର ଲୋକେ ଉଲଗ୍ନ ବା ବିବସ୍ତ୍ର କରି ବୁଲାଉଥିବା ଚିତ୍ର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ରାଜସ୍ଥାନ ପ୍ରତାପଗଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋହୂ ଅନ୍ୟ ଏକ ଯୁବକ ସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ଏହାକୁ କିଛି ସମ୍ପର୍କୀୟ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ସ୍ୱାମୀ ସହ ଶାଶୂଘରର ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୁଲିସ ।

ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଉମେଶ ମିଶ୍ର କହିଛନ୍ତି ଯେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହୁଥିବା ବେଳେ ତାଙ୍କ ଶାଶୂ ତାଙ୍କୁ ଅପହରଣ କରି ନେଇ ନିଜ ଗ୍ରାମକୁ ନେଇ ଯାଇଥିଲେ ଯେଉଁଠାରେ ଗୁରୁବାର ଦିନ ଏହି ଘଟଣା ଘଟିଥିଲା । ସେ କହିଛନ୍ତି ଯେ ଏହି ଘଟଣା ପାଇଁ ୬ ଜଣିଆ ଟିମ୍ ଗଠନ କରାଯାଇଛି ଏବଂ ପ୍ରତାପଗଡ ପୋଲିସ ଅଧୀକ୍ଷକ ଅମିତ କୁମାର ଗାଁରେ କ୍ୟାମ୍ପ କରୁଛନ୍ତି । ଘଟଣାକୁ ନେଇ ପୀଡିତାଙ୍କ ସ୍ୱାମୀ ସହ ଶାଶୂଘରର ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅନ୍ୟପଟେ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଏହି ଘଟଣା ବିଷୟରେ ନିନ୍ଦା ପ୍ରକାଶ କରି ଏକ୍ସ’ ରେ ଏକ ପୋଷ୍ଟ କରିଛନ୍ତି । ଏହା ସଭ୍ୟ ସମାଜ ପ୍ରତି ଏକ କଳଙ୍କ । ଏହି ମାମଲାକୁ ଫାଷ୍ଟଟ୍ରାକରେ କୋର୍ଟରେ ବିଚାର କରାଯାଇ ଯଥାଶୀଘ୍ର ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଅଶୋକ ଗେହଲଟ୍ ।