ଏହି ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାଜ୍ୟର ପ୍ରାୟତଃ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ପୁଣି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ଅକ୍ଟୋବର ୪ ଅପରାହ୍ନ ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାଜ୍ୟର ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବର୍ଷାର ପରିମାଣ ୭ରୁ ୨୦ ସେମି ରହିପାରେ ବୋଲି ଆକଳନ ମଧ୍ୟ କରାଯାଇଛି । ଯାହାକୁ ନେଇ ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ମାନଙ୍କରେ ୭ରୁ ୧୧ ସେମି ପରିମାଣର ବର୍ଷା ହେବା ନେଇ ଆକଳନ କରାଯାଇଛି । ଯାହାକୁ ନେଇ ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘୁଆ ରହିବା ସହ କେତେକ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ଅଞ୍ଚଳରେ ବଜ୍ରପାତ ସହ ଅସରାଏ, ଦୁଇଅସରା ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।