fbpx

୪୦୦ ଟପିଲା ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ଆଉ ୬ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ରାଜ୍ୟରେ ଦୈନିକ ସ୍କ୍ରବ୍ ଟାଇଫସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ଆଉ ୬ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ସଂଖ୍ୟା ୪୦୩କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ରାଜ୍ୟର ଅନ୍ୟାନ ଜିଲ୍ଲାରେ ମଧ୍ୟ ଏହି ସଂକ୍ରମଣ ବ୍ୟାପିବା ଦେଖାଯାଉଛି ।

ଏହି ସଂକ୍ରମଣ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ । ତେବେ ପ୍ରାଥମିକ ଚିକିତ୍ସା କଲେ ଏହି ରୋଗ ଭଲ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ଯଦି ଗୁରୁତର ହୋଇଥାନ୍ତି, ତେବେ ଦେହରେ ସେପ୍ଟି ସେମିଆ ଓ ନିମୋନିଆ ଭଳି ରୋଗ ଦେଖାଦେଇଥାଏ ।

 

Get real time updates directly on you device, subscribe now.