ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ପର୍ଯ୍ୟାୟକ୍ରମେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୨୫ ତାରିଖରେ ରାଜସ୍ଥାନର ୨୦୦ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ଏଥର କ୍ଷମତା କାଏମ୍ ରଖିବା ପାଇଁ ଦଳ ପ୍ରୟାସ ଜାରି ରଖିଛି । ସେହିପରି ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ବିଜେପି ରାଜସ୍ଥାନ ଦଖଲ ପ୍ରୟାସ ଜାରି ରହିଛି ।
ତେବେ ଏହା ମଧ୍ୟରେ ବିଜେପି ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ଏହି ତାଲିକାରେ ଓଡ଼ିଆ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ମିଳିଛି । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଧର୍ମେନ୍ଦ୍ର ରାଜସ୍ଥାନର ଭୋଟରଙ୍କ ନିକଟରେ ଭୋଟ ଭିକ୍ଷା କରିବେ । ଦଳ ପ୍ରତି ସିଟରେ ନିର୍ବାଚନୀ ସଭାର ଆୟୋଜନ କରିବ । ତାଲିକାର ପ୍ରଥମ ନମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦ୍ୱିତୀୟ ସ୍ଥାନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରହିଛନ୍ତି । ୧୧ ନମ୍ବରରେ ଧର୍ମେନ୍ଦ୍ର ରହିଛନ୍ତି ।
ଏହି ଲିଷ୍ଟରେ ରାଜନାଥ ସିଂହ, ଅମିତ ଶହ, ନୀତିଶ ଗଡ଼କରୀ, ଯୋଗୀ ଆଦିତ୍ୟନାଥ, ଶିବରାଜ ସିଂହ ଚୌହାନ, ହିମନ୍ତବିଶ୍ୱ ଶର୍ମା, ପିୟୂଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ସ୍ମୃତି ଇରାନୀ, ଗଜେନ୍ଦ୍ର ସିଂହ ଶେଖାୱତ, ଭୂପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ଅର୍ଜୁନ ରାମ ମେଘାୱାଲ, ପାର୍ଶୋତ୍ତମ ରୁପାଲା, ଅର୍ଜୁନ ମୁଣ୍ଡା, କୈଳାଶ ଚୌଧରୀ, କ୍ରିଷ୍ଣା ପଲ ଗୁର୍ଜାର, ସଞ୍ଜୀବ କୁମାର ବାଲ୍ୟାନ, ଅରୁଣ ସିଂହ, ସି.ପି ଯୋଶୀ, ବସୁନ୍ଧରା ରାଜେ, ରାନ୍ଦ୍ରେ ରାଠୋର, ସତିଶ ପୁନିୟା ରହିଛନ୍ତି ।