fbpx

ମିସ୍ ୟୁନିଭର୍ସ ସଂଗଠନର ବଡ଼ ଘୋଷଣା: ସୁନ୍ଦରୀ ପ୍ରତିଯୋଗିତାରେ କମାଲ ଦେଖାଇବେ ତୃତୀୟ ଲିଙ୍ଗୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପ୍ରତି କ୍ଷେତ୍ରରେ ତୃତୀୟ ଲିଙ୍ଗୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ବେଶ ଆଗୁଆ । ଏପରିକି ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ତଥା ସେମାନଙ୍କୁ ଆଗଧାଡ଼ିକୁ ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି । ତେବେ ଏ ଦିଗରେ ଆଉ ପାଦେ ଆଗକୁ ବଢ଼ାଇଛି ମିସ ୟୁନିଭର୍ସ ସଂଗଠନ ।

ଚଳିତ ବର୍ଷ ୭୨ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅତି କମରେ ଦୁଇଜଣ ତୃତୀୟ ଲିଙ୍ଗୀ ପ୍ରତିଯୋଗୀଙ୍କୁ ଅନ୍ତର୍ଭୁକ୍ତ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି ମିସ୍ ୟୁନିଭର୍ସ ସଂଗଠନ । ତେବେ ତୃତୀୟ ଲିଙ୍ଗୀ ପର୍ତ୍ତୁଗୀଜ ମଡେଲ ମାରିନା ମାଶେଟେ ମିସ୍ ପର୍ତ୍ତୁଗାଲ ଜିତିବା ପରେ ସଂଗଠନ ପକ୍ଷରୁ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଏପରିକି ମରିନା ନଭେମ୍ବରରେ ହେବାକୁ ଥିବା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି ।

ଚଳିତ ବର୍ଷ ଜୁଲାଇରେ ମିସ୍ ନେଦରଲ୍ୟାଣ୍ଡ ଟାଇଟଲ୍ ଜିତିଥିବା ଡଚ୍ ମଡେଲ୍ ରିକ୍କି କୋଲେଙ୍କ ପରେ ମାରିନା ହେଉଛନ୍ତି ତାଙ୍କ ଦେଶର ମିସ୍ ୟୁନିଭର୍ସ ଜିତିବାରେ ଦ୍ୱିତୀୟ ‘ତୃତୀୟ ଲିଙ୍ଗୀ’। ମାରିନା ଜଣେ ୨୮ ବର୍ଷୀୟ ଟ୍ରାନ୍ସ ମହିଳା । ବୃତ୍ତିଗତ ଭାବେ ଗତ ପାଞ୍ଚ ବର୍ଷ ଧରି ସେ ଜଣେ ଫ୍ଲାଇଟ ଆଟେଣ୍ଡାଣ୍ଟ ଭାବରେ କାର୍ୟ୍ୟ କରିଆସୁଛନ୍ତି ।

ଅନ୍ୟପକ୍ଷରେ ବ୍ରେଡା ସହରର ଡଚ୍ ତଥା ସ୍ୱଦେଶୀ ମଲୁକ୍କାନ୍ ବଂଶର ରିକ୍କି କୋଲେ ପୁରୁଷ ଭାବରେ ଜନ୍ମ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ଜଣେ ଟ୍ରାନ୍ସ ମହିଳା । ତାଙ୍କର ଲକ୍ଷ୍ୟ ହେଉଛି ଯୁବତୀ ଏବଂ ସମଲିଙ୍ଗୀ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଦୃଢ଼ ସ୍ୱର ଓ ଆଦର୍ଶ ହେବା । ଏଥି ସହିତ ଲିଙ୍ଗଗତ ଭେଦଭାବ ବିରୋଧୀ ଲଢ଼େଇରେ ଅନ୍ୟମାନଙ୍କୁ ସଶକ୍ତ କରିବା ।

Get real time updates directly on you device, subscribe now.