fbpx

ଓଡ଼ିଶାରେ ବଜ୍ରକାପ୍ତା ଚୋରା ଚାଲାଣ ବଢ଼ୁଛି କାହିଁକି? ଏହି ଜୀବକୁ କ’ଣ ପାଇଁ ଶିକାର କରାଯାଉଛି, ଜାଣନ୍ତୁ ପରଦା ପଛର ବଡ଼ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନେଇ ଅନେକ ସମୟରେ ଖବର ପ୍ରକାଶ ପାଇଥାଏ । ତେବେ ଏହି ଜୀବକୁ କ’ଣ ପାଇଁ ଚୋରା ଚାଲାଣ କରାଯାଉଛି ସେନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହା ମଧ୍ୟରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ ପାଇଁ ଡିଲ୍ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କିଛି ଚାଲାଣକାରୀଙ୍କୁ ଗିରଫ କରିଛି । ଏହା ପୂର୍ବରୁ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଥିଲା ।

ସାଧାରଣ ଭାବେ ବଜ୍ରକାପ୍ତା ପରି ଏକ ସ୍ତନ୍ୟପାୟୀ ପ୍ରାଣୀ ସାଧାରଣରେ ଦେଖିବା ଖୁବ୍ ବିରଳ । ବଜ୍ରକାପ୍ତର ଶରୀରରେ ବଡ଼ ବଡ଼ କାତି ରହିଛି ଯାହାକି ତା’ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଯଦି କେହି ବଜ୍ରକାପ୍ତାକୁ ଆକ୍ରମଣ କରେ, ତେବେ ସେ ମୋଡ଼ିମାଡ଼ି ହୋଇଯାଏ । କିଛି ଲୋକ ବଜ୍ରକାପ୍ତାକୁ ମାଂସ ପାଇଁ ଓ ଆଉ କିଛି ତା’ର ବିଭିନ୍ନ ଅଂଶକୁ ପାରମ୍ପରିକ ଔଷଧ ଭାବେ ବ୍ୟବହାର କରିଥାନ୍ତି । କିଛି ଲୋକ ହାତୀକୁ ତା’ର ମୂଲ୍ୟବାନ ଦାନ୍ତ ପାଇଁ ଶିକାର କରିଥାନ୍ତି । ସେହିପରି ବଜ୍ରକାପ୍ତା ମଧ୍ୟ ଏକ ମୂଲ୍ୟବାନ ଜୀବ । ବିଗତ ୮୦ ମିଲିୟନ ବର୍ଷ ଧରି ଧରାପୃଷ୍ଠରେ ଏହି ଜୀବ ବସବାସ କରିଆସୁଥିବା କୁହାଯାଉଛି ।

ବିଶେଷ କରି ମାଂସ, ଚମଡ଼ା ଓ କାତି ପାଇଁ ବଜ୍ରକାପ୍ତାକୁ ଶିକାର କରାଯାଇଥାଏ । ବଜ୍ରକାପ୍ତାର କାତି କାମୋଦ୍ଦୀପକ ଔଷଧ ଭାବେ ବ୍ୟବହୃତ ହୋଇଥାଏ । ତା’ର ଚମଡ଼ାରୁ ଯୋତା, ଚପଲ ଆଦି ତିଆରି ହୋଇଥାଏ । ଏଥିସହିତ ବିଭିନ୍ନ ପ୍ରକାରର ଫେଶନ ପ୍ରଡକ୍ଟ ପାଇଁ ଏହି ଜୀବକୁ ବ୍ୟବହାର କରାଯାଏ । ବିଶ୍ୱସ୍ତରରେ ବଜ୍ରକାପ୍ତାର ଚାହିଦା ଏତେ ଅଧିକ ଯେ ଅନଲାଇନରେ ମେଡିସିନ ବିକ୍ରି କରୁଥିବା କିଛି ୱେବସାଇଟରେ ମଧ୍ୟ ତା’ର ଶରୀରରୁ ତିଆରି ସାମଗ୍ରୀ ବିକ୍ରି ହୋଇଥାଏ । ବିଶେଷ କରି ଚୀନ ଓ ଦକ୍ଷିଣ-ଏସୀୟ ରାଷ୍ଟ୍ରରେ ବଜ୍ରକାପ୍ତାର ଚୋରା କାରବାର ଅଧିକ ହେଉଛି । ସବୁଠାରୁ ବଡ଼ କଥା ହେଉଛି ଦିନକୁ ଦିନ ବଜ୍ରକାପ୍ତା ବଂଶ ଲୋପ ପାଇବାକୁ ବସିଲାଣି । ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ବଜ୍ରକାପ୍ତାର ଶିକାର କରାଯାଉଛି ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଜୀବ ବିଶ୍ୱବକ୍ଷରୁ ସମ୍ପୂର୍ଣ୍ଣ ଇଭେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.