ମୁମ୍ବାଇ: ମହାରାଷ୍ଟ୍ରର ଇତିହାସ ବହୁତ ଗର୍ବଶାଳୀ ଓ ସ୍ୱାଭିମାନୀ ଅଟେ । ଏହି ରାଜ୍ୟ ଦେଶର ସବୁଠାରୁ ବିକଶିତ ଦେଶ ମଧ୍ୟରୁ ଅନ୍ୟତମ । ଏହାର ରାଜଧାନୀ ମୁମ୍ବାଇ ଦେଶର ଆର୍ଥିକ ରାଜଧାନୀ । ଏଠାରେ ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ରହୁଛନ୍ତି । ମୁମ୍ବାଇ ଠାରୁ ପ୍ରାୟ ୫୦୦କିଲୋମିଟର ଦୂରରେ ଥିବା ବିଡ୍ ଜିଲ୍ଲାରେ ଏପରି ଏକ ଗ୍ରାମ ରହିଛି ଯାହାକୁ ସେଠିକାର ନିବାସୀ ଏବେ ବିକ୍ରୀ କରୁଛନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଯେ ଗ୍ରାମବାସୀ ଏବେ ଏହି ଗାଁକୁ ବିକ୍ରୀ କରିବାକୁ ଯାଉଛନ୍ତି ।
ଏଥିପାଇଁ ଗ୍ରାମବାସୀ ଗାଁକୁ ଥିବା ପ୍ରବେଶ ବାଟରେ ଏକ ବିରାଟ ପୋଷ୍ଟର ଲଗାଇଛନ୍ତି । ଗାଁକୁ ବିକିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଠାରୁ ଅନୁମତି ମାଗି ପୋଷ୍ଟର ଲଗାଇଛନ୍ତି । ଜିଲ୍ଲାର ପଟୌଦା ତାଲୁକ ଖଡକବାଡି ଗ୍ରାମର ୧୮୦୦ ବାସିନ୍ଦା ପରିସ୍ଥିତିରେ ପଡି ଏପରିି ପଦକ୍ଷେପ ଉଠାଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଖଡକବାଡି ଗ୍ରାମ ଗତ ବହୁ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ । ଗାଁର ବିକାଶ କେବଳ କାଗଜପତ୍ରରେ ରହିଛି । ବିକାଶ ନାମରେ ଆସୁଥିବା ଅର୍ଥରେ ଗ୍ରାମ ପ୍ରଧାନ ଓ ଅନ୍ୟ ଅଧିକାରୀ କେବଳ ନିଜର ପକେଟ୍ ଗରମ କରୁଛନ୍ତି । ଗ୍ରାମରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନାମରେ ପୋଷ୍ଟର ଲଗାଇ କୁହାଯାଇଛି କି ଆପଣ ରାଜ୍ୟରେ ବହୁ ମହତକାଂକ୍ଷୀ ଯୋଜନା ଆରମ୍ଭ କରି ରାଜ୍ୟକୁ ବିକାଶ ଆଡକୁ ଅଗ୍ରସର କରାଇଛନ୍ତି କିନ୍ତୁ ଖଡକବାଡି ଗ୍ରାମ ସବୁ ବିକାଶମୂଳକ ଯୋଜନାରୁ କାହିଁକି ବଞ୍ଚିତ?
ତେବେ ସ୍ଥତି କେବଳ ମହାରାଷ୍ଟ୍ରର ଏହି ଗୋଟିଏ ଗ୍ରାମ ନୁହେଁ । ବରଂ ଖଡକବାଡି ନିକଟସ୍ଥ ବହୁ ଗ୍ରାମର ସ୍ଥିତି ବି ଏହିପରି ରହିଛି । ଗ୍ରାମବାସୀଙ୍କ ଅଭିଯୋଗ ନିର୍ବାଚନ ସମୟରେ ସବୁ ନେତା ଗ୍ରାମକୁ ଆସି ବଡ ବଡ ପ୍ରତିଶ୍ରୁତି ଦେଇ ଯାଆନ୍ତି କିନ୍ତୁ ଜିତିଯିବା ପରେ ଆଉ ମୁହଁ ବୁଲାଇ ଚାହାନ୍ତି ନାହିଁ । ତେଣୁ ଗ୍ରାମବାସୀ କହିଛନ୍ତି ଏପରି ସ୍ଥିତି ସହ ଲଢିବା ପରିବର୍ତ୍ତେ ଗାଁ ବିକିଦେବା ସବୁଠାରୁ ଭଲ ।