ପୁରୀ: ପ୍ରାଚୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳ ଖାଲି ହେବା ପରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି । ପୁଷ୍କରିଣୀର ଉତ୍ତରପାର୍ଶ୍ୱରେ ଥିବା ପ୍ରାୟ ୨ ଫୁଟ ଓସାର ଓ ୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସୁଡ଼ଙ୍ଗ କେଉଁଠିକୁ ସଂଯୋଗ କରୁଛି, ତାହା ସ୍ପଷ୍ଟ ହୋଇପାରିନି । ଏହା ବାଲିରେ ପୋତି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ସୁଡ଼ଙ୍ଗ ଯେଉଁ ପାର୍ଶ୍ୱକୁ ଦୃଶ୍ୟମାନ ହେଉଛି, ସେ ପାର୍ଶ୍ୱକୁ କୌଣସି ପୋଖରୀ କି ନାଳ ନ ଥିଲେ ବି ସୁଡ଼ଙ୍ଗ ଭିତରୁ ପାଣି ଝର ପଡ଼ିଥିବା ଦେଖିବାକୁ ମିଳିଛି । ଏହା ପୁଷ୍କରିଣୀର ପାଣି ନିଷ୍କାସନ ବାଟ ନା ଅନ୍ୟକିଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହାର ଅଧିକ ଅନୁସନ୍ଧାନ ହେବା ଜରୁରୀ ବୋଲି ଅଞ୍ଚଳବାସୀ କହିଛନ୍ତି ।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ଭିତରେ ଇନ୍ଦ୍ରଦ୍ୟୁମ୍ନ ଅନ୍ୟତମ । ଐତିହାସିକଙ୍କ ମତରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ଏହି ପୁଷ୍କରିଣୀ ଖନନ ହୋଇଥିଲା । ଲୋକକଥା ଅନୁଯାୟୀ, ଏହି ପୋଖରୀ ଖନନ କରିବା ସମୟରେ ପଥର ବୋହି ବୋହି ଲୋକେ କୁରୁମ ପାଲଟି ଯାଇଥିଲେ । ଏହି କୁରୁମମାନେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଗଭୀର ଜଳରେ ଏବେ ବି ରହୁଥିବା କୁହାଯାଉଛି । ଏବେ ଓବିସିସି ପକ୍ଷରୁ ୬୪କୋଟି ଟଙ୍କା ବ୍ୟୟରେ ଇନ୍ଦ୍ରଦ୍ୟୁମ୍ନ ସହ ମାର୍କଣ୍ଡ, ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ ସମେତ ପବିତ୍ର ନରେନ୍ଦ୍ର ପୁଷ୍କରିଣୀର ବିକାଶ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ପବିତ୍ର ଜଳରାଶିକୁ ବିଶୋଧନ କରାଯାଉଛି । ପୁଷ୍କରିଣୀର ଜଳରାଶିକୁ ଉଝୁଳାଯାଇ ନୂଆ ଝର ଫିଟିବାର ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ବଡ଼ ବଡ଼ ପାଣିପମ୍ପ୍ ଲଗାଯାଇଛି । ପାଣି ଶୁଖାଇବା ଜାରି ରହିଥିବାବେଳେ ପାଣିରେ ବୁଡ଼ି ରହିଥିବା ପାହାଚ ଦୃଶ୍ୟମାନ ହେବା ଆରମ୍ଭ ହୋଇଛି । ପୂର୍ବ-ଉତ୍ତର ପାର୍ଶ୍ୱରେ ପାହାଚର ପଥର ସନ୍ଧିରେ ଏହି ସୁଡ଼ଙ୍ଗ ଠାବ କରାଯାଇଛି ।
ଭିତରକୁ ବହୁ ବାଟ ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗ ଲମ୍ବିଛି । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟ ମଧୁବନ ୪ ନମ୍ବର ଗଳିର ବୃଦ୍ଧା ଚନ୍ଦ୍ରମଣି ନାୟକ(୭୨) କହିଛନ୍ତି, ପ୍ରାୟ ୪୦ ବର୍ଷ ତଳେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଉଝୁଳା ଯାଇଥିଲା । ସେ ସମୟରେ ଏହି ସୁଡ଼ଙ୍ଗର ସନ୍ଧାନ ମିଳିନଥିଲା । ପୁଷ୍କରିଣୀର ଚାରିକୋଣରେ ୪ଟି କୂଅ ରହିଛି, ଯେଉଁଥିରୁ ଝର ବାହାରିଛି । ପୋଖରୀକୁ ଶୁଖାଇଲେ ବି ଏହି ଝରରେ ପୁଷ୍କରିଣୀ ପୁଣି ଜଳପୂର୍ଣ୍ଣ ହୋଇଯାଉଛି । ପୁଷ୍କରିଣୀ ମଝିରେ ବି ଏକ ଯଜ୍ଞ କୁଣ୍ଡ ପଥର ଘେରା ଅବସ୍ଥାରେ ରହିଛି । ଅତୀତରେ ପାଣି ଉଝୁଳା ବେଳେ ଏହି କୂଅ ଓ ଯଜ୍ଞସ୍ଥଳ ଦେଖିଯାଇଥିଲା ବୋଲି ସେ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ଶ୍ରୀଧର ନାୟକ, ଦିଲୀପ ନାୟକ ସୁଡ଼ଙ୍ଗ ନେଇ ଅଧିକ ଅନୁସନ୍ଧାନ ହେବା ଦରକାର ବୋଲି କହିଛନ୍ତି ।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ପ୍ରାଚୀନତମ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ରେ ଦିଶିଲା ସୁଡଙ୍ଗ ।ସୁଡ଼ଙ୍ଗ ପ୍ରାୟ ଏହି ନାଳଟି ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ଲମ୍ବିଥିବାର ଅନୁମାନ କରାଯାଉଛି ।ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଣି ଶୁଖିଯିବା ପରେ ଦେଖାଯାଉଛି ଏହି ସୁଡ଼ଙ୍ଗ ସଦୃଶ ନାଳ ।ତେବେ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୁଷ୍କରିଣୀର ଜଳ ନିଷ୍କାସନ ପାଇଁ ବହୁତ୍ ପୂର୍ବରୁ ମୂଷା ନଇକୁ ସଂଯୋଗିକରଣ ନାଳ ସବୁ କରାଯାଇଥିଲା ଏହା ତାରି ଅନ୍ତର୍ଭୁକ୍ତ ବୋଲି କହିଛନ୍ତି ପଣ୍ଡିତ ହରିଶଙ୍କର ମିଶ୍ର ।ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ସମାନ ମତ ଦେଇଛନ୍ତି ।ତେବେ ପୁରା ଶେଷ ପର୍ଯ୍ୟନ୍ତ ମାଟି ବାହାର କରାଗଲେ ଅନେକ ଐତିହାସିକ ତଥ୍ୟ ବାହାରିପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।