ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଡିସେମ୍ବର ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି । ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ରାଜ୍ୟର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।
ରାଜ୍ୟର ଡିଜିପି ଶ୍ରୀ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀଙ୍କୁ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସପିଏ)ର ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିବା ବେଳେ ସେ ଡିଜିପି ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ । ସ୍ଥାୟୀ ଡିଜିପିଙ୍କ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ନୂଆବର୍ଷ ଆରମ୍ଭ ପୂର୍ବରୁ ଗତକାଲି ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରମୋସନ ଦେଇଥିଲେ । ୫ ଜଣ ଆଇପିଏସ ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ଓ ୬ ଜଣ ଆଇପିଏସ ଅଧିକାରୀଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା । ୨୦୦୬ ବ୍ୟାଚର ୫ ଜଣ ପୋଲିସ ଅଧିକାରୀଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଥିବା ବେଳେ ୨୦୧୦ ବ୍ୟାଚର ୬ ଜଣ ଆଇପିଏସଙ୍କୁ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ ଆଇପିଏସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା ।