fbpx

ଅସଦୁଦ୍ଦିନ ଓୱେସିଙ୍କ ପ୍ରଶ୍ନ: ଡିସେମ୍ବର ୬ ରେ ବାବ୍ରି ମସଜିଦକୁ କିଏ ଭାଙ୍ଗିଥିଲା?

ଓଡିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଲାଗି ରହିଛି ଅନେକ ଚର୍ଚ୍ଚା ଓ ଆଲୋଚନା । ସେହିପରି ଏହାକୁ ନେଇ ରାଜନୀତି ମଧ୍ୟ ବେଶ୍ ସରଗରମ ରହିଛି। ତେବେ ଏହାରି ଭିତରେ ମନ୍ଦିର ଓ ମସଜିଦ ବିବାଦକୁ ନେଇ ପୁଣିଥରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଡିସେମ୍ବର ୬ ରେ ବାବ୍ରି ମସଜିଦ ଭାଙ୍ଗିବା ଘଟଣା ସର୍ବଦା ଲୋକଙ୍କ ମନରେ ରହିବ। ଓୱେସି କହିଛନ୍ତି ଯେ ଲୋକସଭା ନିର୍ବାଚନରେ ​​କେନ୍ଦ୍ର ସରକାର ଏହାକୁ ଏକ ପ୍ରସଙ୍ଗ କରିବାକୁ ଚେଷ୍ଟା କରିବେ, କିନ୍ତୁ ପ୍ରକୃତ ପ୍ରସଙ୍ଗ ହେଉଛି ବେକାରୀ । ପ୍ରସଙ୍ଗ ହେଉଛି ମୁଦ୍ରାସ୍ଫୀତି। ଚୀନ୍ ଭାରତର ଜମି କବଜା କରିଛି। ରାମ ମନ୍ଦିର ବିଷୟରେ ସେ କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରନ୍ତି।

ଅନ୍ୟପଟେ ସେ କହିଛନ୍ତି ‘ପୂଜା ସ୍ଥାନ ଉପରେ ସରକାର ନିଜର ଆଭିମୁଖ୍ୟ ସଫା କରିବା ଉଚିତ୍’। ତେବେ ମଥୁରାର ଶାହି ଇଦଗାହଙ୍କୁ କୃଷ୍ଣ ମନ୍ଦିର ବୋଲି ଘୋଷଣା କରିବା ଦାବିରେ ସେ ଏହି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଓୱେସି କହିଛନ୍ତି, “ଉପାସନା ସ୍ଥାନ ଆକ୍ଟ ସଂସଦ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, “ଡିସେମ୍ବର ୬ ରେ ବାବ୍ରି ମସଜିଦକୁ କିଏ ଭାଙ୍ଗିଥିଲା? ଏହି ପ୍ରସଙ୍ଗ ଆଜୀବନ ରହିବ। ଅଯୋଧ୍ୟାରେ ଥିବା ରାମ ମନ୍ଦିରଠାରୁ ଅଳ୍ପ ଦୂରରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମସଜିଦ ନିର୍ମାଣ କରାଯାଉଥିବା ପ୍ରସଙ୍ଗକୁ ନେଇକି ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଏହିପରି ମସଜିଦକୁ ମସଜିଦ ଭାବରେ ବିବେଚନା କରାଯାଇପାରିବ ନାହିଁ। ତୁମେ ମସଜିଦକୁ ଭାଙ୍ଗି ମସଜିଦ ନିଅ ବୋଲି କହିବ। ଏହା ସହ ସେ କହିଛନ୍ତି, “ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ, କିନ୍ତୁ ସ୍ୱାଧୀନତା ପରେ ଯାହା ଘଟିଛି ତାହା ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡିବ।”

ସୂଚନା ଥାଉକି, ଭବ୍ୟ ଶ୍ରୀମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ତେବେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ ଏବଂ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ମାତ୍ର ଏହି ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅନେକ ସାରା ରାଜନୀତି ଦେଖିବାକୁ ମିଳୁଛି।

Get real time updates directly on you device, subscribe now.