ଗାଜାରେ ନରସଂହାର ବନ୍ଦ କରିବା ପାଇଁ ICJର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍(ICJ)ର ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା ସାମ୍ନାକୁ ଆସିଛି । ଗାଜାପଟ୍ଟିରେ ତୁରନ୍ତ ନରସଂହାର ରୋକିବା ଦିଗରେ ପଦକ୍ଷେପ ନେବାକୁ ଇସରାଏଲକୁ ICJ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସ୍ଥିତରେ ସୁଧାର ସୁନିଶ୍ଚିତ କରିବା ପାଇଁ ମାସକ ଭିତରେ ରିପୋର୍ଟ ଦେବାକୁ ମଧ୍ୟ କହିଥିବା ସୂଚନା ମିଳିଛି ।

ଗତବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିବା ଇସରାଏଲ ଏବଂ ହମାସ ଯୁଦ୍ଧରେ ଅନେକ ବଡ଼ ବଡ଼ କୋଠା ଧ୍ୱଂସ ହେବା ସହ ହଜାର ହଜାର ସାଧାରଣ ଜନତାଙ୍କ ଜୀବନ ଗଲାଣି । ହମାସର ଆତଙ୍କୀ ଆଡ୍ଡା ଧ୍ୱଂସ କରିବା ପାଇଁ ଇସରାଏଲୀ ସେନା ଗାଜା ସହରରେ ପଶି ଅପରେସନ୍ ଚଳାଇଛି । ତେବେ ଦକ୍ଷିଣ ଆଫ୍ରିକା ୯ଟି ଦାବି ସହ ଇସରାଏଲ ଗାଜାରେ ନରସଂହାର ଚଳାଇଥିବା ଅଭିଯୋଗ ସହ ICJର ଦ୍ୱାରସ୍ଥ ହୋଇଥିଲା । ଏହାର ଶୁଣାଣି କରି ICJ ଇସରାଏଲକୁ ତୁରନ୍ତ ନରସଂହାର ରୋକିବା ସହ ମାନବୀୟ ସହାୟତା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଅନ୍ତରୀଣ ରାୟ ଦେଇଛନ୍ତି । ତେବେ ଇସରାଏଲ ଅସ୍ତ୍ରବିରତି କରୁ ବୋଲି ହୋଇଥିବା ଆବେଦନ ଉପରେ କିଛି କହିନାହାନ୍ତି ।