ନୂଆଦିଲ୍ଲୀ: ମାଳଦ୍ୱୀପରେ ଜାରି ରାଜନୈତିକ ଝଡ ମଧ୍ୟରେ ଭାରତ ସରକାର ୨୦୨୪ ଅନ୍ତରୀଣ ବଜେଟ୍ରେ ଲାକ୍ଷାଦ୍ୱୀପକୁ ନେଇ ବଡ ଘୋଷଣା କରିଛନ୍ତି । ଗୁରୁବାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେନ୍ଦ୍ର ସରକାର କେନ୍ଦ୍ର ଶାସିତ ପ୍ରଦେଶ ଲାକ୍ଷାଦ୍ୱୀପକୁ ପର୍ଯ୍ୟଟନ ସ୍ଥଳୀ ରୂପରେ ବିକଶିତ କରିବା ପାଇଁ ଏହାର ଭିତ୍ତିଭୂମି ଢାଞ୍ଚାରେ ସୁଧାର ଆଣିବାକୁ ପୁରା ଜୋର ଦେବେ । ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି, ଘରୋଇ ପର୍ଯ୍ୟଟନ ପ୍ରତି ଲୋକଙ୍କ ବର୍ଦ୍ଧିତ ଉତ୍ସାହକୁ ଲକ୍ଷ୍ୟ କରି ସରକାର ଲାକ୍ଷାଦ୍ୱୀପ ସହିତ ଅନ୍ୟ ଦ୍ୱୀପ ସମୂହକୁ ପୋର୍ଟ କନେକ୍ଟିଭିଟି, ଟୁରିଜିମ୍ ଇନଫ୍ରାଷ୍ଟ୍ରକଚର ଓ ଅନ୍ୟାନ୍ୟ ସୁଖ ସୁବିଧା ପ୍ରଦାନ ଲାଗି ପରିଯୋଜନାମାନ ଆରମ୍ଭ କରିବେ । ଏହାଦ୍ୱାରା ଦେଶରେ ନୂତନ ରୋଜଗାର ସମ୍ଭାବନା ବି ସୃଷ୍ଟି ହେବ ।
ମାଳଦ୍ୱୀପ ସହ ଜାରି ରାଜନୈତିକ ବିବାଦ ମଧ୍ୟରେ ଲୋକମାନେ ଏବେ ଲାକ୍ଷାଦ୍ୱୀପକୁ ଏହାର ବିକଳ୍ପ ପର୍ଯ୍ୟଟନସ୍ଥଳୀ ଭାବରେ ଦେଖୁଛନ୍ତି । ଏପରି ସ୍ଥିତିରେ ଅନ୍ତରୀଣ ବଜେଟ୍ରେ ଲାକ୍ଷାଦ୍ୱୀପ ଲାଗି କରାଯାଇଥିବା ଘୋଷଣାର ବହୁତ ମହତ୍ତ୍ୱ ରହିଛି । ବଜେଟ୍ରେ ଲାକ୍ଷାଦ୍ୱୀପ ଲାଗି କରାଯାଇଥିବା ଘୋଷଣାକୁ ଇଜିମାଇଁଟ୍ରିପର ସହପ୍ରତିଷ୍ଠାତା ତଥା ସିଇଓ ନିଶାନ୍ତ ପିଟ୍ଟୀ ଏକ ଦୂରଦର୍ଶୀତାପୂର୍ଣ୍ଣ ଘୋଷଣା ବୋଲି କହିଛନ୍ତି । ମାଳଦ୍ୱୀପର ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କରାଯାଇଥିବା ଆପତ୍ତିଜନକ ଟିପ୍ପଣୀ ପରେ ନିଶାନ୍ତ ମାଳଦ୍ୱୀପକୁ ଯାଉଥିବା ସମସ୍ତ ଫ୍ଲାଇଟସର ବୁକିଂ ରଦ୍ଦ କରିଦେଇଥିଲେ ।