fbpx

ମୁଖ୍ୟମନ୍ତ୍ରୀ କଳାକାର ଯୋଜନା: ସାମିଲ ହେବେ ଆଉ ୩୦ ହଜାର କଳାକାର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଳାକାରଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ରାଜ୍ୟର ବିଭିନ୍ନ କଳାକାର । ଏହି ଯୋଜନାରେ ଆଉ ୩୦ ହଜାର କଳାକାରଙ୍କୁ ସାମିଲ କରାଯିବ । ଯାହା ଫଳରେ ଏହି ଯୋଜନାରେ କଳାକାରଙ୍କ ସଂଖ୍ୟା ୮୦ହଜାରକୁ ବୃଦ୍ଧି ପାଇବ । ଏହି ଯୋଜନା ଅଧୀନରେ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ଆଉ ତିରିଶ ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା। ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ପ୍ରସ୍ତାବ ଦେଇଥିଲେ।

ଏହି ଯୋଜନାରେ ୫୦,୦୦୦ କଳାକାରଙ୍କୁ ବର୍ତ୍ତମାନ ମାସିକ ୧୨୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ତେବେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଏବେ ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରା ଯାଇଛି। ଏହା ଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏହି ଯୋଜନାରେ ଉପକୃତ ହୋଇପାରିବେ। ଓଡ଼ିଶାର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା ଏବଂ କଳାକାର ମାନେ ହେଉଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ । ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ। ଏହାଦ୍ଵାରା ରାଜ୍ୟରେ କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବ ବୋଲି କୁହାଯାଇଛି।

Get real time updates directly on you device, subscribe now.