ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଲା ଅଧିକ ଅର୍ଥ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଏହି ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଛନ୍ତି । ତେବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ବାଚନ ପାଇଁ କାମଚଳା ବଜେଟ ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କା । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅଧିକ ଅର୍ଥ ମିଳିଛି ।

ତେବେ ଶିକ୍ଷା କ୍ଷେତ୍ର ପାଇଁ ୩୩,୮୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୪ ହଜାର ୭୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ମୋ ସ୍କୁଲ ଅଭିଯାନ ଅଧୀନରେ ୫୨୧ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୮୮୦ କୋଟି ଟଙ୍କା ଏବଂ ୫ଟି ଅଧୀନରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପାଇଁ ୩୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୁମୀ ବିକାଶ ପାଇଁ ୨୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି । କମ୍ପ୍ୟୁଟରୀକରଣ ଏବଂ ଇ-ଗର୍ଭନାନ୍ସ ପାଇଁ ୧୧୬ କୋଟି ଟଙ୍କା, ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକ ନିମନ୍ତେ ଅନୁଦାନ ୬୮୩ କୋଟି ଟଙ୍କା, ଯୁବ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ୬୭ କୋଟି ଟଙ୍କା ଏବଂ ଉଚ୍ଚ ଶିକ୍ଷା ମେଧାବୃତ୍ତି ପାଇଁ ୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।