‘ପ୍ରୟାସ’ ୧୦ମ ସାମୂହିକ ବିବାହ ମହୋତ୍ସବ: ବିବାହ ବନ୍ଧନରେ ବାନ୍ଧିହେଲେ ୨୫ ଯୋଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରୟାସ’ ଆନୁକୂଲ୍ୟରେ ୧୦ମ ସାମୂହିକ ବିବାହ ମହୋତ୍ସବ ସଂପନ୍ନ ହୋଇଛି । ହିନ୍ଦୁ ବୈଦିକ ରୀତି ଅନୁଯାୟୀ ସ୍ଥାନୀୟ ଖାରବେଳ ନଗରସ୍ଥିତ ରାମମନ୍ଦିର ପରିସରରେ ୨୫ ଜଣ ବର ଓ କନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛରୟଲି । ବିଶିଷ୍ଟ ବେଦଜ୍ଞ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବେଦ ପାଠ କରିବା ସହ ୨୫ଟି ବେଦୀରେ ୨୫ ଜଣ ପଣ୍ଡିତ ଏହି ୨୫ ଯୋଡା ଦମ୍ପତିଙ୍କୁ ବୈଦିକ ରୀତିରେ ବିବାହ ବନ୍ଧନରେ ଆବଦ୍ଧ କରାଇଥିଲେ ।

ସାଂପ୍ରତିକ ସମାଜରେ ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ପରିବାରର ଅସହମତି, ଯୌତୁକ ଅସଂଗତି, ଅନାବଶ୍ୟକୀୟ ସାମାଜିକ ପ୍ରଥା, ବୈବାହିକ ଉତ୍ତରଦାୟିତ୍ୱ ସଂପର୍କରେ ଅନଭିଜ୍ଞତା ଓ ମନସ୍ତାତ୍ତ୍ୱିକ ତାଳମେଳର ଅଭାବ ଯୋଗୁଁ ସମାଜରେ ବୈବାହିକ ଜୀବନ ପ୍ରଶ୍ନବାଚୀ ହୋଇଥାଏ । ଏହାର ପ୍ରତିକାର ସ୍ୱରୂପ ନବବଧୂଙ୍କୁ ସଚେତନ କରାଇବା, ଆର୍ଥିକ ଅନଗ୍ରସରମାନଙ୍କୁ ପ୍ରାଧାନ୍ୟ ଦେବା, ଯୌତୁକ ବିରୋଧରେ ସଚେତନତା ସୃଷ୍ଟି କରିବା ଓ ବିବାହକୁ ରେଜେଷ୍ଟ୍ରିଭୁକ୍ତ କରିବାର ଅଙ୍ଗୀକାରବଦ୍ଧତାକୁ ଆପଣାଇ ଏକ ସୁସ୍ଥ, ଚିରସ୍ଥାୟୀ ଓ ବୁଝାମଣାପୂର୍ଣ୍ଣ ବୈବାହିକ ଜୀବନର ଲକ୍ଷ୍ୟ ହାସଲ କରିବା ‘ପ୍ରୟାସ’ର ମୁଖ୍ୟ ଧ୍ୟେୟ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି । ଏହି ସାମାଜିକ ପ୍ରଥା ଦୀର୍ଘ ୧୦ ବର୍ଷ ହେବ ହୋଇ ଆସୁଥିବା ବେଳେ ଏଯାବତ୍ ପ୍ରାୟ ୨୫୦ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ସଫଳତାର ସହ ଜୀବନ ଅତିବାହିତ କରୁଥିବା ଶ୍ରୀ ମହାନ୍ତି କହିଛନ୍ତି ।

ସମାଜର ସବୁବର୍ଗ, ଗୋଷ୍ଠୀ , ଅକର୍ମଣ୍ୟ, ଅବହେଳିତଙ୍କୁ ଏକାଠି କରି ସାମୂହିକ ବିବାହକୁ ଏକ ସାମାଜିକ ମହୋତ୍ସବର ମାନ୍ୟତା ଦେବାକୁ ‘ପ୍ରୟାସ’ ପ୍ରଚେଷ୍ଟା ଜାରି ରଖିଥିବା ଅନ୍ୟତମ ବରିଷ୍ଠ ସଦସ୍ୟ ସୁରେଶ କୁମାର ପତ୍ରୀ କହିଛନ୍ତି । ବିବାହ ପୂର୍ବଦିନ ଅର୍ଥାତ୍ ଶନିବାର ସନ୍ଧ୍ୟାରେ ମଙ୍ଗନୀ, ମେହେନ୍ଦୀ ଓ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ରବିବାର ଏହି ସାମୂହିକ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଛି । ଆବେଦନ କରିଥିବା ବରବଧୂ ଓ ସେମାନଙ୍କ ପରିବାର ଉପସ୍ଥିତିରେ ବିବାହ ସଂପନ୍ନ ହେବା ସହ ଏହି ୨୫ ଯୋଡି ଆଇନ ଅନୁଯାୟୀ ରେଜେଷ୍ଟ୍ରିଭୁକ୍ତ ହୋଇଛନ୍ତି ।

ପୂର୍ବାହ୍ନ ୧୧ ଘଟିକା ସମୟରେ ୟୁନିଟ-୨ ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଠାରୁ ୨୫ ଜଣ ବର ବାହାରି ଶୋଭାଯାତ୍ରାରେ ୨୫ଟି ଭିନ୍ନ ସୁସଜ୍ଜିତ ଗାଡିରେ ଶ୍ରୀରାମ ମନ୍ଦିରକୁ ବରାନୁଗମନ କରିଥିଲେ । ସେଠାରେ କନ୍ୟା ପିତାମାତା ବାଟବରଣୀ କରି ବିବାହ ସ୍ଥଳକୁ ପାଛୋଟି ନେବା ପରେ ସେଠାରେ ବୈଦିକ ରୀତିରେ ବିବାହ ସଂପନ୍ନ ହୋଇଥିଲା । ଏହି ବିବାହ ଉତ୍ସବରେ ଆଧ୍ୟାମିକ ଗୁରୁ ବାବା ଆର୍ତ୍ତତ୍ରାଣ,ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ସମେତ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟିର ଆବାହକ ତଥା ଶିକ୍ଷାବିତ୍ ଡକ୍ଟର ବଦ୍ରିନାଥ ପଟ୍ଟନାୟକ, ‘ପ୍ରୟାସ’ର ଟ୍ରଷ୍ଟି ତଥା ସାମ୍ବାଦିକ କୌସ୍ତୁଭ ଦାସ, କମଳ ମହାନ୍ତି, ଉମାକାନ୍ତ ତାଣ୍ଡି, ସୂର୍ଯ୍ୟ କୁମାର ପାତ୍ର, ଜୟନ୍ତ ମହାନ୍ତି, ଡକ୍ଟର ସୁରେନ୍ଦ୍ର ମହାପାତ୍ର, ପ୍ରେମ ଅଗ୍ରୱାଲ, ବୃନ୍ଦାବନ ପଢ଼ିହାରୀ, ସୋନାଲୀ ପ୍ରିୟଦର୍ଶିନୀ, ଶିଶିର ମହାପାତ୍ର, ଜସ୍ମିନ୍ ମହାନ୍ତି, କୌସିକ ମହାନ୍ତି, ଚନ୍ଦ୍ରଶେଖର ପଣ୍ଡିତରା ପ୍ରମୁଖ ଉପସ୍ଥିତ ରହି ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ସହଯୋଗ କରିଥିଲେ । ଆଗାମୀ ଦିନରେ ରାଜ୍ୟ ସରକାର ଗଣବିବାହକୁ ସ୍ୱୀକୃତି ପ୍ରଦାନ କରିବା ସହ ସରକାରୀ ସହାୟତା ଓ ସହଯୋଗ ଯୋଗାଇଦେବାକୁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି ।