ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ୫୯ ପ୍ରକଳ୍ପର କରିବେ ଲୋକାର୍ପଣ

ଓଡ଼ିଶା ଭାସ୍କର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତରେ ଯିବେ । ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ସହ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ୫୯ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ୨୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଜିଲ୍ଲାର ସବୁଜ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି । ସେହିପରି ୧୦୬ କୋଟି ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ ପଶ୍ଚିମ ଓଡିଶାର କର୍କଟ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବ ।

ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୦ ମିନିଟରେ ସେ ବିଜେପୁର ବ୍ଲକ କନାପାଳି ଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ ମହଲା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଗସ୍ତ ଅବସରରେ ୨୨କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିବେ । ଏହାଛଡା ମୁଖ୍ୟମନ୍ତ୍ରୀ ୩୪୨ କୋଟି ୬୯ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ୫୯ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ସେହିପରି ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ ।

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିଶେଷ କରି ମହିଳା, ବୟସ୍କ ଏବଂ ଯୁବବର୍ଗଙ୍କ ପାଇଁ ହାତ ଖୋଲି ଦେଇଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା ବେଳେ ନିର୍ବାଚନୀ ଚାଲ୍ କହି କଟାକ୍ଷ କରିଛି ବିରୋଧୀ । ତେବେ ଏହି ସବୁ ଜନକଲ୍ୟାଣକାରୀ ନିଷ୍ପତ୍ତି ଆଗାମୀ ନିର୍ବାଚନକୁ କେତେ ପ୍ରଭାବିତ କରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।