ଗ୍ୟାସ୍ ସିଲିଣ୍ଡର ଦର କମିଲା: ମହିଳା ଦିବସରେ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଉପହାର ଦେଇଛନ୍ତି । ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ନେଇ ଘୋଷଣା କରାଯାଇଛି । ଏଲପିଜି ସିଲିଣ୍ଡର ଦର ୧୦୦ ଟଙ୍କା ହ୍ରାସ ପାଇଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ସୂଚନା ଦେଇଛନ୍ତି । ଏହାଦ୍ୱାରା ନାରୀ ଶକ୍ତିଙ୍କ ଜୀବନ ସହଜ ହେବା ସହିତ କୋଟି କୋଟି ପରିବାର ଉପରେ ଆର୍ଥିକ ଚାପ ହ୍ରାସ ପାଇବ । ଏହି ପଦକ୍ଷେପ ପରିବେଶ ସୁରକ୍ଷା ଦିଗରେ ସହାୟକ ହେବା ସହିତ ପରିବାରିକ ସ୍ୱାସ୍ଥ୍ୟ ସମସ୍ୟାର ସୁଧାର କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତକାଲି କେନ୍ଦ୍ର ସରକାର ୬ଟି ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଥିଲେ । ସେଥିମଧ୍ୟରୁ ଗୋଟିଏ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପିଏମ୍ ଉଜ୍ଜ୍ୱଳା ଯୋଜନାର ସବସିଡି ୧ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ୨୦୨୫ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଘୋଷଣା କରିଥିଲେ । ଏହି ଘୋଷଣା ଫଳରେ ବହୁ ହିତାଧିକାରୀ ଉପକୃତ ହେବା ସହିତ କେନ୍ଦ୍ର ସରକାର ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

Get real time updates directly on you device, subscribe now.