ଓଡ଼ିଶା ଭାସ୍କର: ସାଧାରଣତଃ ଖରା ଏବଂ ବର୍ଷା ଦିନେ ଘରେ ମଶା, ମାଛି, ପିମ୍ପୁଡ଼ି ଭଳି ଅନେକ କୀଟଙ୍କ ପାଦୁର୍ଭାବ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଅସରପା ହେଉଛି ଅନ୍ୟତମ । ବିଶେଷ କରି ରୋଷେଇ ଘରେ ଅସରପାମାନେ ଡେରା ବାନ୍ଧିଥାନ୍ତି । ଫଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥାଏ । ଘରକୁ ଅସରପା ମୁକ୍ତ ରଖିବା ପାଇଁ ଲୋକମାନେ ବଜାରରେ ଉପଲବ୍ଧ ହେଉଥିବା ଅନେକ କୀଟନାଶକ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପ୍ରଭାବ ଶେଷ ହେବା ପରେ ପୂର୍ବ ଭଳି ସମାନ ସ୍ଥିତି ଦେଖାଦେଇଥାଏ । ଘରେ ଏହି ଅସରପା ସମସ୍ୟା ଚିନ୍ତାର ବିଷୟ ପାଲଟିଥାଏ । ତେବେ କିଛି ଘରୋଇ ଉପାୟ ଦ୍ୱାରା ଅସରପାମାନଙ୍କ ଉପଦ୍ରବ ଠାରୁ ରକ୍ଷା ପାଇପାରିବ ।
୧. ବେକିଂ ସୋଡ଼ା ଏବଂ ବୋରିକ ଏସିଡ୍: ବେକିଂ ସୋଡ଼ା ସହ ଚିନି ମିଶାଇ ଘରର କୋଣରେ ଛିଞ୍ଚି ପାରିବେ । ଏହି ଉପାୟ ଦ୍ୱାରା କେବ ଳ ଅସରପା ନୁହେଁ ବରଂ ଅନ୍ୟ କୀଟ ଠାରୁ ମଧ୍ୟ ରକ୍ଷା ପାଇପାରିବେ । ଏହା ବ୍ୟତୀତ ବୋରିକ ଏସିଡ୍ ପାଉଡର ଘରେ ଅସରପା ଥିବା ସ୍ଥାନ ରେ ଛିଞ୍ଚି ପାରିବେ । ଧ୍ୟାନ ଦିଅନ୍ତୁ ପିଲାମାନଙ୍କୁ ଏହି ସବୁ ବିଷାକ୍ତ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ ।
୨. ତେଜପତ୍ର: ତେଜପତ୍ରକୁ ପାଣିରେ ଫୁଟେଇ ଅସରପା ଉପରେ ସ୍ପ୍ରେ କରିପାରିବେ । ଏହା ବ୍ୟତୀତ ତେଜପତ୍ରକୁ ଗୁଣ୍ଡ କରି ଘରର କୋଣରେ ଛିଞ୍ଚି ପାରିବେ ।
୩. ନିମ ତେଲ: ଘରୁ ଅସରପା ତଡ଼ିବା ପାଇଁ ନିମ ତେଲ ପ୍ରଭାବଶାଳୀ ଅଟେ । ଅଳ୍ପ ପାଣିରେ ନିମ ତେଲ ମିଶାଇ ଅସରପାଙ୍କ ବାସ ସ୍ଥାନରେ ସ୍ପ୍ରେ କରନ୍ତୁ । ଏହା ବ୍ୟତୀତ ନିମ ପତ୍ରର ଗୁଣ୍ଡ କିମ୍ବା ଲବଙ୍ଗ ଗୁଣ୍ଡ ଘର କୋଣରେ ଛିଞ୍ଚିଲେ ଅସରପା ଠାରୁ ମୁକ୍ତି ମିଳିଥାଏ ।
୪. ପୁଦୀନା ତେଲ: ପାଣିରେ କିଛି ମାତ୍ରାରେ ଲୁଣ ଏବଂ ପୁଦୀନା ପତ୍ର କିମ୍ବା ପୁଦୀନା ତେଲ ମିଶାଇ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହାକୁ ଅସରପା ରହୁଥିବା ସ୍ଥାନରେ ସ୍ପ୍ରେ କରିପାରିବେ ।
ଏହା ବ୍ୟତୀତ କିଛିଟା ଦୈନନ୍ଦିନ ଜୀବନରେ କିଛିଟା ଅଭ୍ୟାସ ଆପଣାଇବା ଦ୍ୱାରା ଘରୁ ଅସରପା ସମସ୍ୟା ଠାରୁ ଦୂରେଇ ରହିଥାଏ:
– ରୋଷେଇ ଘରେ ଅଇଁଠା ବାସନ ଜମା କରନ୍ତୁ ନାହିଁ । ଏହା ଦ୍ୱାରା ଅସରପା ଆସିଥାନ୍ତି ।
-ଡଷ୍ଟବିନକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ ।
-ରନ୍ଧା ଖାଦ୍ୟ ସବୁବେଳେ ଢ଼ାଙ୍କି ରଖନ୍ତୁ । ଏହା ଦ୍ୱାରା ଅସରପା ଠାରୁ ବ୍ୟାପୁଥିବା ସଂକ୍ରମଣ ଠାରୁ ପିଲାଙ୍କୁ ଦୂରେଇ ରଖି ପାରିବା ।