ରାଜ୍ୟ ଅର୍ଥ ବିଭାଗ ଲାଗୁ କରିବ ନୂଆ ଆର୍ଥିକ ସଂସ୍କାର: ଏଣିକି ରାଜକୋଷରୁ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଅର୍ଥ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏକ ନୂଆ ଆର୍ଥିକ ସଂସ୍କାର ଲାଗୁ କରିବାକୁ ଯାଉଛି । ଏହାଫଳରେ ଏଣିକି ରାଜକୋଷରୁ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ଯିବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସଏସ) ଅର୍ଥ ଯେପରି ବାଟମାରଣା ହେବ ନାହିଁ, ଅର୍ଥ ଠିକ ବାଟରେ ଖର୍ଚ୍ଚ ହେବ ସେଥିପାଇର୍ ବିଭାଗ ପକ୍ଷରୁ ‘ଜଷ୍ଟ ଇନ୍ ଟାଇମ୍’ ନୀତି ଗ୍ରହଣ କରାଯାଇଛି । ମାତ୍ର ସେଥିରେ ବ୍ୟାଙ୍କ ମାଧ୍ୟମ ସାଜୁଥିବାରୁ ସରକାରୀ ଅର୍ଥର ସଠିକ୍ ପରିଚାଳନା ହୋଇପାରୁନି । ତେଣୁ ଆଗାମୀ ଦିନରେ ଏହି ବ୍ୟାଙ୍କ ବ୍ୟବସ୍ଥା ଯୋଜନାର ସଫଳ ରୂପାୟନରେ ଯେଭଳି ବାଧା ସୃଷ୍ଟି ନ କରିବ ଓ ଲୋକଙ୍କ ଖାତାକୁ ସିଧାସଳଖ ସରକାରୀ ଅର୍ଥ ଯିବ ସେଥିପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି ।
ଅର୍ଥ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ କାର୍ଯ୍ୟକାରୀ କରାଯିବ । ଫଲରେ ସରକାରଙ୍କ ବଜେଟରେ ଅଟକଳ ହୋଇଥିବା ଅର୍ଥ ରାଜକୋଷକୁ ଯିବ ଓ ସେଠାରୁ ସିଧାସଳଖ ଲୋକଙ୍କ ଖାତାକୁ ଯିବ । ଏହି ପୋର୍ଟାଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସ ସଚିବ କହିଛନ୍ତି । ୨୦୨୩ ମସିହା ଜୁନ୍ ମାସରେ କେନ୍ଦ୍ର ସରକାରଙ୍କ ତରଫରୁ ‘ଜଷ୍ଟ ଇନ୍ ଟାଇମ୍’ ନୀତି ଆପଣା ଯାଇଥିବା ବେଳେ ତାହା ମାଧ୍ୟମରେ ସମସ୍ତ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିବାକୁ ବ୍ୟବସ୍ଥା ହୋଇଛି । ଫଳରେ ଆର୍ôଥକ ପରିଚାଳନାରେ ସ୍ୱଚ୍ଛତା ରହିବା ସହ ଅବାଟରେ ଟଙ୍କା ଖର୍ଚ୍ଚ ହେବ ନାହିଁ । ରାଜକୋଷ ନିର୍ଦ୍ଦେଶକ ପ୍ରତ୍ୟେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସହିତ ରାଜ୍ୟ ଯୋଜନା (ଏସଏଲଏସ) ଉଠାଣ ଖାତା ଖୋଲିବେ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉକ୍ତ ନୀତିକୁ ରାଜ୍ୟ ଅର୍ଥ ବିଭାଗ ଆପଣାଇଛି ।