କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍‌ରେ ଭୟାନକ ଅଗ୍ନିକାଣ୍ଡ, ଫସି ରହିଛନ୍ତି ଅନେକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:ଆସାମରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ସିଲଚର ଶିଲାଙ୍ଗ ପଟ୍ଟି ଇଲାକାରେ ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହି ବିଲ୍ଡିଂର ଟପ୍ ଫ୍ଲୋରରେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ୍ ପରିଚାଳିତ ହେଉଥିଲା । ଦୁର୍ଘଟଣା ସମୟରେ ଏଠାରେ ବହୁ ଛାତ୍ର ଓ ଛାତ୍ରୀ ପଢିବା ଲାଗି ଆସିଥିଲେ । ନିଆଁ ଲାଗିବା ପରେ ଘଟଣାସ୍ଥଳରୁ ଭୀଷଣ ଚିତ୍କାର ଶୁଣିବାକୁ ମିଳିଥିଲା ।

ଏହି ଅଗ୍ନିକାଣ୍ଡର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି କି ନିଆଁ ଲାଗିବା ପରେ ଛାତ୍ରଛାତ୍ରୀ ସିଡିରେ ତଳକୁ ବି ଆସିବାକୁ ସମୟ ପାଇ ନାହାନ୍ତି । ଏମାନେ ସମସ୍ତେ ଜୀବନ ବଞ୍ଚାଇବାକୁ ଏଣେ ତେଣେ ଦୌଡୁଥିବାର ନଜର ଆସୁଛି । କିଛି ଛାତ୍ରଛାତ୍ରୀ ଝରକା ବାଟେ ବାହାରି ପାଇପ ସାହାରାରେ ତଳକୁ ଆସୁଥିବାର ଦେଖାଯାଉଛି । ସେହିପରି ଝିଅମାନଙ୍କୁ ପାଖ ବିଲ୍ଡିଂରେ ସିଡି ଲଗାଇ ଓହ୍ଲାଯାଉଛି ।

ଘଟଣାର ସୂଚନା ମିଳିବା ମାତ୍ରେ ୪ଟି ଦମକଳ ଗାଡି ସେଠାରେ ପହଞ୍ଚିଛି । ତେବେ ବିଲ୍ଡିଂର ଛାତ ଉପରେ ଏବେ ବି ବହୁ ଛାତ୍ର ଛାତ୍ରୀ ଫସି ରହିଛନ୍ତି । ପୋଲିସ ଟିମ୍ ବି ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛି । ତେବେ ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ।